ଏଇ ଭାରତରେ

ଝାଡ଼ଖଣ୍ଡର କନ୍ଦୋନି ସୋରେନଙ୍କ ଅଦମ୍ୟ ସାହସ ଓ ନିଷ୍ଠା ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ଲୋକେ ତାଙ୍କୁ କହୁଛନ୍ତି ‘ଜଙ୍ଗଲର ସିଂହୀ’। କନ୍ଦୋନି ତାଙ୍କ ଗାଁ ସରକାଘାଟର ୪୦ ଜଣ ଆଦିବାସୀ ମହିଳାଙ୍କୁ ଏକାଠି କରି ୨୫୦ ଏକର ଜଙ୍ଗଲ ଜଗିଥିବାରୁ ତାଙ୍କୁ ଲୋକେ ଏଭଳି ସମ୍ବୋଧନ କରୁଛନ୍ତି। ବେଆଇନ ଭାବେ ଗଛ କାଟୁଥିବା ବ୍ୟକ୍ତିଙ୍କୁ ସୋରେନ ଏବଂ ତାଙ୍କ ଟିମ୍‌ର ମହିଳାମାନେ ଦୃଢ଼ତାର ସହ ମୁକାବିଲା କରୁଛନ୍ତି। ସେମାନେ ପାଳି କରି ଦିନରାତି ଜଙ୍ଗଲ ଜଗୁଛନ୍ତି। ପ୍ରତିଦିନ ସକାଳେ ସେମାନେ ହାତରେ ଧନୁତୀର ଓ ଠେଙ୍ଗା ଧରି ଜଙ୍ଗଲକୁ ବାହାରି ଯାଆନ୍ତି। ଜାମସେଦପୁର ପୋଲିସରେ କନ୍ଦୋନି ଗୃହରକ୍ଷୀ ଭାବେ କାର୍ଯ୍ୟ କରିବା ସହ ୨୦୧୧ରୁ ଏହି ଅଭିଯାନ ଚଳାଉଛନ୍ତି। ସେ ଦିନରେ ଡ୍ୟୁଟି କରି ରାତିରେ ଜଙ୍ଗଲ ସୁରକ୍ଷାରେ ମହିଳାମାନଙ୍କ ସହ ରହୁଛନ୍ତି। ଜଙ୍ଗଲ ସୁରକ୍ଷା ପାଇଁ ସେ ପଞ୍ଚାୟତରୁ ଆରମ୍ଭ କରି ଜଙ୍ଗଲ ବିଭାଗକୁ ଜଣାଇବା ପରେ କୌଣସି ସୁଫଳ ନ ମିଳିବାରୁ ଗାଁର ମହିଳାମାନଙ୍କୁ ଏକାଠି କରି ‘ହରିୟାଲୀ ସକ୍କମ’ ଅର୍ଥାତ୍‌ ‘ସବୁଜ ପତ୍ର’ ନାମରେ ଜଙ୍ଗଲ ସୁରକ୍ଷା କମିଟି ଗଠନ କରିଥିଲେ। ଏମାନଙ୍କ ପ୍ରୟାସରେ ୮୦-୯୦ ପ୍ରତିଶତ ବେଆଇନ ଗଛକଟା ରୋକାଯାଇ ପାରିଛି।