ଏଇ ଭାରତରେ

ଘରେ ଜାଗା ନ ଥିଲେ ବି ବାହାରେ ରାସ୍ତା କଡ଼ରେ ଉଦ୍ୟାନ କରିପାରିବେ ଓ ଏଥିପାଇଁ ବାଟ ଦେଖାଇଛନ୍ତି ରାଞ୍ଚିର ମନୋଜ ରଞ୍ଜନ। ରାଞ୍ଚି ହରମୁ ହାଉସିଂ କଲୋନୀରେ ରହନ୍ତି ରଞ୍ଜନ। ସେ ପେସାରେ ଜଣେ ଶିକ୍ଷକ, କିନ୍ତୁ ଉଦ୍ୟାନ କରିବା ତାଙ୍କ ନିଶା। ସେ ଘର ବାହାରେ ଏବେ ୨୦୦ରୁ ଊର୍ଦ୍ଧ୍ୱ ଫୁୁଲ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟବର୍ଦ୍ଧକକାରୀ ଗଛ ଲଗାଇ ଏକ ଉଦ୍ୟାନ କରିଛନ୍ତି। ଏହି ଉଦ୍ୟାନର ବିଶେଷତା ହେଉଛି, ସବୁ ଗଛ ବର୍ଜ୍ୟ ଜିନିଷରେ ଉତାରିଛନ୍ତି। କୌଣସି କୁଣ୍ଡ ବ୍ୟବହାର କରିନାହାନ୍ତି। ମୁଖ୍ୟତଃ ପରୁଣା ଡବା, ପ୍ଲାଷ୍ଟିକ ଡ୍ରମ୍‌ ଓ ବୋତଲ, ବାଲଟି ଓ ହେଲମେଟ ଆଦି ବ୍ୟବହାର କରିଛନ୍ତି। କମ୍‌ ଖରାରେ ଭଲ ବଢି ପାରୁଥିବା ଗଛସବୁ ଲଗାଇଛନ୍ତି। ଉଦ୍ୟାନ କାର୍ଯ୍ୟ ଓ ତା’ସୁରକ୍ଷାରେ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ ସହଯୋଗ କରୁଛନ୍ତି। ଲୋକମାନେ ଯେପରି ଗଛ ନଷ୍ଟ ନ କରିବେ, ସେଥିଲାଗି ମନୋଜ ପୂଜା କାର୍ଯ୍ୟରେ ଲାଗୁ ଥିବା ଫୁଲ କିିମ୍ବା ଅନ୍ୟ ଗଛ ଲଗାଇଛନ୍ତି। ସେ ନିଜ ଦାୟିତ୍ୱ ତୁଲାଇବା ପରେ ବଳକା ସମୟରେ ଉଦ୍ୟାନ କାର୍ଯ୍ୟ କରୁଛନ୍ତି। ଏବେ ସେ ଅଧିକ ଉଦ୍ୟାନ କରିବା ଲାଗି ଯୋଜନା କରିଛନ୍ତି। ଗଛ ଲଗାଇବା ସକାଶେ ଆଖପାଖ ଲୋକମାନେ ତାଙ୍କୁ ବର୍ଜ୍ୟ ଜିନିଷ ଦେଉଛନ୍ତି, ଯାହା ତାଙ୍କୁ ଅଧିକ ଉଦ୍ୟାନ କରିବା ଲାଗି ପ୍ରେରିତ କରିଛି। ମନୋଜଙ୍କ ଏଭଳି କାର୍ଯ୍ୟକୁ ଲୋକେ ପସନ୍ଦ କରିବା ସହ ଏବେ ସେମାନଙ୍କ ଘର ସାମ୍ନା ରାସ୍ତା କଡ଼ରେ ଉଦ୍ୟାନ କରିବା ଆରମ୍ଭ କରିଦେଇଛନ୍ତି। ଉଦ୍ୟାନ ବ୍ୟତୀତ ସେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚଳାଇଛନ୍ତି। ଏହି କାର୍ଯ୍ୟ ସେ ଶିକ୍ଷକ ଭାବେ ନିଯୁକ୍ତି ପାଇବା ପୂର୍ବରୁ କରିଆସୁଛନ୍ତି।