ଏଇ ଭାରତରେ

ଜୈବ ଇନ୍ଧନ ବ୍ୟବହାର କମ୍‌ କରିବା ସହ ପରିବେଶ ପ୍ରଦୂଷଣ ରୋକିବା ଲାଗି ଏବେ ବୈଦ୍ୟୁତିକ ଦୁଇଚକିଆ ଯାନ(ଇଭି ଟୁହ୍ବିଲର) ନିର୍ମାଣରେ ଲାଗିଛନ୍ତି ବହୁ ନାମୀଦାମୀ କମ୍ପାନୀ। ଗତବର୍ଷ ତୁଳନାରେ ଏହାର ବିକ୍ରି ମଧ୍ୟ ୧୩୨ ପ୍ରତିଶତ ବୃଦ୍ଧି ପାଇଛି। ଲୋକେ କମ୍ପାନୀ ଗାଡ଼ି ପସନ୍ଦ କରୁଥିବା ବେଳେ ନିଜ କେଟିମ୍‌ ବାଇକ୍‌କୁ ସୌରଚାଳିତ ଇଭି ବାଇକ୍‌ରେ ପରିବର୍ତ୍ତନ କରି ଏକ ନୂଆ ବାଟ ଦେଖାଇଛନ୍ତି ଅସଦ୍‌ ଅବ୍‌ଦୁଲ୍ଲା। ଉତ୍ତରପ୍ରଦେଶ ଆଜମ୍‌ଗଡ଼ର ଏହି ଯୁବକ ଏବେ ଭୋକେଶନାଲ ଟ୍ରେନିଂ ନେଉଛନ୍ତି, ହେଲେ ନିଜ ଉଦ୍ୟମରେ ତାଙ୍କ କେଟିମ୍‌ ବାଇକ୍‌କୁ ଇଭି କରିବାରେ ସକ୍ଷମ ହୋଇଛନ୍ତି। ଏହି ବାଇକ୍‌ ଏବେ ଥରେ ଚାର୍ଜ ହେଲେ ୧୩୦ କିମି ଯାଉଛି ଓ ଏହାର ଘଣ୍ଟା ପ୍ରତି ବେଗ ରହିଛି ୧୪୦ କିମି। କାହାଠାରୁ କୌଣସି ବୈଷୟିକ ଶିକ୍ଷା ନ ନେଇ ଏବଂ ବିନା ସାହାଯ୍ୟରେ ବହୁ ଭିଡିଓ ଦେଖି ଇଭି କୌଶଳ ଜାଣିବା ପରେ ସେ ଇଞ୍ଜିନକୁ ପରିବର୍ତ୍ତନ କରିଛନ୍ତି। ସେଥିରେ ଚାଇନା ନିର୍ମିତ କ୍ୟୁଏସ୍‌ ମୋଟର କଣ୍ଟ୍ରୋଲର ଫିଟ୍‌ କରିବା ସହ ଏଥିରେ ୪,୦୦୦ ଓ୍ବାଟ୍‌ ମୋଟର ସେଟ୍‌ କରିଛନ୍ତି। ବାଇକ୍‌ର କୌଣସି ପାର୍ଟ କାଟିନାହାନ୍ତି କି କିଛି ଯୋଡ଼ିନାହାନ୍ତି। କେବଳ ତେଲ ଟାଙ୍କି ପାଖରେ ବ୍ୟାଟେରି ବକ୍ସ ରଖିଛନ୍ତି। ଏହି ବ୍ୟାଟେରି ସୌର ବିଦ୍ୟୁତ୍‌ରେ ଚାର୍ଜ ହେଉଛି। ଏଣୁ ଅସଦ୍‌ଙ୍କୁ ବାଇକ୍‌ ଚାର୍ଜ ପାଇଁ ଗ୍ରୀଡ୍‌ ବିଦ୍ୟୁତ୍‌ ଉପରେ ନିର୍ଭର କରିବାକୁ ପଡୁନି। ଏହି ଉପାୟରେ ଅସଦ୍‌ ମାସକୁ ତେଲ ବାବଦରେ ଖର୍ଚ୍ଚ କରୁଥିବା ପ୍ରାୟ ୬ ହଜାର ଟଙ୍କା ବଞ୍ଚାଇ ପାରୁଛନ୍ତି।