ଏଇ ଭାରତରେ

ସେବା ହିଁ ପରମ ଧର୍ମ, ଏହା ଉପଲବ୍ଧି କରିଛନ୍ତି ଫରିଦାବାଦର ବୀଣା ଲାଲ୍‌। ସେ ୨୫ ବର୍ଷ ହେଲା ଅନାଥ ଓ ଦିବ୍ୟାଙ୍ଗ ପିଲାମାନଙ୍କର ସେବା କରିଆସୁଛନ୍ତି। ‘କର୍ମ ମାର୍ଗ’ ଏନ୍‌ଜିଓ ମାଧ୍ୟମରେ ସେ ଏହି ସେବା କରୁଛନ୍ତି। ବୀଣା ମୋଟ ୧୫୦୦ ପିଲାଙ୍କୁ ସାହାଯ୍ୟ କରିସାରିଛନ୍ତି। ୧୯୯୭ରେ ସେ ଚାକିରି ଛାଡ଼ି ଏକ ଛୋଟ ଘରେ କିଛି ଦିବ୍ୟାଙ୍ଗ ପିଲାଙ୍କୁ ନେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ସ୍ବପ୍ନ ଦେଖିଥିଲେ। ପରେ ଚାକିରିରୁ ଲବ୍ଧ ସଞ୍ଚିତ ଅର୍ଥରେ ୨୦୦୦ ମସିହାରେ ଫରିଦାବାଦ ନିକଟରେ ୨ ଏକର ଜାଗା କିଣି ପିଲାଙ୍କ ରହିବା ଲାଗି ସୁବିଧା କରିଥିଲେ। ଧୀରେ ଧୀରେ ତାଙ୍କ ସ୍ବପ୍ନ ପୂରଣ ହେବାରେ ଲାଗିଛି। ପିଲାମାନଙ୍କ ପଢ଼ା ଲାଗି ସବୁପ୍ରକାର ସୁବିଧା କରାଯାଇଛି କର୍ମ ମାର୍ଗର କ୍ୟାମ୍ପସରେ। ନିୟମିତ ପିଲାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। କେବଳ ଏତିକି ନୁହେଁ, ଯେଉଁମାନେ ବାହାର ସ୍କୁଲରେ ପଢ଼ିବାକୁ ଚାହଁୁଛନ୍ତି ସେମାନଙ୍କୁ ମଧ୍ୟ ବୀଣା ସୁଯୋଗ ଦେଉଛନ୍ତି। ତାଙ୍କ ପାଖରେ ଶିକ୍ଷା ଲାଭ କରି ବହୁ ପିଲା ଆମତ୍ନିର୍ଭର ହୋଇପାରିଛନ୍ତି। ଏବେ ବୀଣାଙ୍କ ପାଖରେ ୬ରୁ ୧୮ ବର୍ଷ ବୟସ ମଧ୍ୟରେ ୫୪ ଝିଅପୁଅ ରହିଛନ୍ତି। ରେଲଓ୍ବ ଷ୍ଟେଶନ, ବସ୍‌ଷ୍ଟାଣ୍ଡରୁ ଚାଇଲ୍ଡ ଓ୍ବେଲ୍‌ଫେୟାର କମିଟି ଦ୍ୱାରା ଉଦ୍ଧାର କରାଯାଉଥିତ୍ବା ପିଲାମାନଙ୍କୁ ସେ ରଖୁଛନ୍ତି। ବଡ଼ କଥା ହେଉଛି ବୀଣା ଜୈବିକ ଚାଷ କରି ପିିଲାମାନଙ୍କ ନିତିଦିନଆ ପରିବା ଓ ଅନ୍ୟ ଫଳମୂଳ ଆବଶ୍ୟକତା ପୂରଣ କରୁଛନ୍ତି। ଏହା ଦ୍ୱାରା ଖର୍ଚ୍ଚ କମ୍‌ ହେବା ସହ ପିଲାମାନେ ସୁସ୍ଥ ରହୁଛନ୍ତି ବୋଲି ବୀଣା କହନ୍ତି ।