ଏଇ ଭାରତରେ

ଲୋକେ କହୁଥିଲେ ପିଏଚ୍‌ଡି କରି ଖତ ବିକ୍ରି କରିବ? ହେଲେ ଆଜି ମାସକୁ ୩୦ ଟନ୍‌ ଜିଆଖତ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ଡ. ଶ୍ରବଣ ଯାଦବ ଓ ଏଥିରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। କୃଷକ ପରିବାରରେ ବଢ଼ିଥିବାରୁ ଜୈବିକ କୃଷିରେ ଏମ.ଏସସି. ଓ ପିଏଚଡି ହାସଲ କଲେ ମଧ୍ୟ ସେ ଚାକିରି ନ କରି ଚାଷ ଓ ଚାଷୀର ଉନ୍ନତି ଲାଗି ବ୍ୟସ୍ତ ରହିଛନ୍ତି। ରାଜସ୍ଥାନ ଜୟପୁରର ସୁନ୍ଦରପୁରା ଗାଁରେ ରହନ୍ତି ଶ୍ରବଣ। ସେଠାରେ ୨୦୨୦ରୁ ‘ଡ. ଅର୍ଗାନିକ ଭର୍ମିକମ୍ପୋଷ୍ଟ’ ବ୍ରାଣ୍ଡ୍‌ରେ ଖତ ପ୍ରସ୍ତୁତ କରି ସାରା ଭାରତରେ କୃଷକମାନଙ୍କୁ କମ୍‌ ମୂଲ୍ୟରେ ଯୋଗାଇ ଦେଉଛନ୍ତି। ୭୦୦ ବେଡ୍‌ରେ ଖତ ପ୍ରସ୍ତୁତ କରି ମାସକୁ ୩୦ ଟନ୍‌ ପାଖାପାଖି ଖତ ପ୍ରସ୍ତୁତ କରୁଛନ୍ତି। ୨୦୧୨ରେ ଜୈବିକ କୃଷିରେ ଡିଗ୍ରୀ ହାସଲ କରି ପ୍ରଥମେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରୁଥିଲେ। ପରେ ଚାକିରି ଛାଡ଼ି ଉଦୟପୁର ମହାରାଣା ପ୍ରତାପ ବିଶ୍ୱବିଦ୍ୟାଳୟରୁ ଜୈବିକ କୃଷିରେ ଏମ୍‌ଏସି ଓ ପିଏଚ୍‌ଡି କରିବା ପରେ ସେହି ବିଶ୍ୱବିଦ୍ୟାଳୟରେ ସିନିୟର ରିସର୍ଚ୍ଚ ଫେଲୋଶିପ ଭାବେ କାର୍ଯ୍ୟ କରିଥିଲେ। ପରେ ତାହା ଛାଡି ଜୈବିକ କୃଷିକୁ ଲୋକାଭିମୁଖୀ କରିବାକୁ ଅଭିଯାନ ଚଳାଇ ଆସୁଛନ୍ତି। ୨୦୨୦ରେ ଲକ୍‌ଡାଉନ ସମୟରେ ସେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ସେ ମଧ୍ୟ ‘ଡ. ଅର୍ଗାନିକ ଭର୍ମି କମ୍ପୋଷ୍ଟ’ ନାମରେ ଏକ ଚ୍ୟାନେଲ ଚଳାଉଛନ୍ତି। ଏଥିରୁ ଲୋକମାନେ ଖତ ପ୍ରସ୍ତୁତି ସମ୍ପର୍କରେ ଜ୍ଞାନ ପାଇପାରୁଛନ୍ତି। ଶ୍ରବଣ ଲୋକମାନଙ୍କୁ ଜିଆଖତ ୟୁନିଟ୍‌ କରିବା ଲାଗି ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି।