ଏଇ ଭାରତରେ

ଆମ୍ବ ବଗିଚା ନୁହେଁ, ବରଂ ଏହାକୁ କୁହାଯାଉଛି ଆମ୍ବ ମ୍ୟୁଜିୟମ। କାରଣ ଏହି ବଗିଚାରେ ଦେଶବିଦେଶର ପ୍ରାୟ ୨୫୦ କିସମର ଆମ୍ବ ଫଳୁଛି। ଯେ କେହି ଗଲେ ତାହାକୁ ଦେଖିବା ସହ ସେଠାରେ ରହିବାର ବି ସୁବିଧା କରାଯାଇଛି। ଏଭଳି ବଗିଚାଟିଏ ଦେଖିବାକୁ ପାଇବେ ଗୁଜରାଟର ଗିର୍‌ ନ୍ୟାଶନାଲ ପାର୍କଠାରୁ ୩ କି.ମି. ଦୂରରେ ଥିବା ଭାଲାଛେଲ ଗାଁରେ। ସେହି ଗାଁର ଝରିୟା ପରିବାର ୧୨.୫ ଏକରରେ ଏହି ଆମ୍ବ ବଗିଚା କରିଛନ୍ତି ଓ ଏଥିରେ ହଜାର ହଜାର ଗଛ ରହିଛି। ସୁମିତ ଝରିୟା କହନ୍ତି, ୧୯୮୫ରେ ତାଙ୍କ ଜେଜେବାପା ନୁର୍‌ ଅଲି ବୀର ଝରିୟା ପ୍ରଥମେ ୧୦ ଏକର ଜମି କିଣି ୧୪ ପ୍ରକାର ଆମ୍ବ ଗଛ ଲଗାଇଥିଲେ ଓ ପରେ ଅବଶିଷ୍ଟ ଜମି ବଗିଚା ପାଇଁ କିଣାଯାଇଛି। ୩ ଦଶନ୍ଧି ମଧ୍ୟରେ ଝରିୟା ପରିବାର ୨୫୦ ପ୍ରକାର ଆମ୍ବଗଛ ଏହି ବଗିଚାରେ ବଢ଼ାଇ ପାରିଛନ୍ତି। ଭାରତ ବ୍ୟତୀତ ଆମେରିକା, ଥାଇଲାଣ୍ଡ, ଅଷ୍ଟ୍ରେଲିଆ, ୟୁରୋପ ଏବଂ ଇସ୍ରାଏଲରୁ ବିଭିନ୍ନ କିସମର ଆମ୍ବ ଚାରା ସଂଗ୍ରହ କରାଯାଇ ଲଗାଯାଇଛି। ବର୍ଷକୁ ଏହି ବଗିଚାରୁ ଝରିୟା ପରିବାର ୨୪ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଅନିଲ ମ୍ୟାଙ୍ଗୋ ଫାର୍ମ ଆଣ୍ଡ୍‌ ନର୍ସରି କରି ଏହା ମାଧ୍ୟମରେ ପ୍ରତିବର୍ଷ ୨ ଲକ୍ଷ ଆମ୍ବ ଚାରା ବିକ୍ରି କରାଯାଉଛି।