ଏଇ ଭାରତରେ

ଜାଗା କହିଲେ ମାତ୍ର ୧୦୦୦ ବର୍ଗଫୁଟ୍‌। କିନ୍ତୁ ସେଥିରେ ଗ୍ରୋ ବ୍ୟାଗ୍‌ରେ ପରିବା ଚାଷ କରି ନିଜର ଆବଶ୍ୟକତା ମେଣ୍ଟାଇବା ସହ ପରିବା ବିକ୍ରି କରୁଛନ୍ତି ଧନଞ୍ଜୟନ। କେରଳର କନ୍ନୁର ଜିଲା ନିବାସୀ ୪୮ ବର୍ଷୀୟ ଧନଞ୍ଜୟନ ଅଗଣାରେ ଅର୍ଗାନିକ ଚାଷ କରିବା ସହ ରୋଷେଇଘର ବର୍ଜ୍ୟରୁ ଜୈବିକ ଖତ ପ୍ରସ୍ତୁତକରି ମାସକୁ ୧୦୦୦ କେ.ଜି. ଖତ ମଧ୍ୟ ବିକ୍ରି କରୁଛନ୍ତି। ଅଗଣାରେ ଚାଷକରି ସଫଳ ହୋଇଥିବାରୁ ଏଥିପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। ଏବେ ସେ ୨୫୦ ଗ୍ରୋ ବ୍ୟାଗ୍‌ରେ ଭେଣ୍ଡି, ବାଇଗଣ, ଟମାଟୋ, କଲରା, ଲଙ୍କା ବ୍ୟତୀତ ପୋଇ, ବନ୍ଧାକୋବି, ଫୁଲକୋବି, ବ୍ରୋକୋଲି ଏବଂ କ୍ୟାପ୍ସିକମ୍‌ ଆଦି ଋତୁଭିତ୍ତିକ ପରିବା ଫଳାଉଛନ୍ତି। ସିଞ୍ଚନ ପଦ୍ଧତିରେ ଜଳସେଚନ କରୁଛନ୍ତି ଓ ଜୈବିକ ଖତ ପ୍ରୟୋଗ କରୁଛନ୍ତି। ସେ ପ୍ରସ୍ତୁତ କରୁଥିବା ଜୈବିକ ଖତକୁ ୪ କେଜିଆ ପ୍ୟାକେଟ କରି ତାହାକୁ ୩୦ ଟଙ୍କାରେ ବିକ୍ରି କରୁଛନ୍ତି। ସେ ଅଗଣାରେ ଜୈବିକ ଚାଷ କରିବା ଲାଗି ଅନ୍ୟମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ସାହାଯ୍ୟ କରୁଛନ୍ତି।