ବିପଦରେ ଭାଙ୍ଗି ନ ପଡ଼ି ଜଣେ ଯୋଦ୍ଧା ଭାବେ କ୍ୟାନ୍ସରକୁ ପରାସ୍ତ କରିବା ସହ ଅନ୍ୟ ରୋଗୀମାନଙ୍କ ପାଇଁ ଆଶାବାଡ଼ି ପାଲଟିଛନ୍ତି ଦିଲ୍ଲୀର ଦୁର୍ଗା ଗୋପାଲ। ୭୦ ବର୍ଷୀୟା ଦୁର୍ଗା ଦୁଇ ଥର କ୍ୟାନ୍ସରୁ ବଞ୍ଚିବା ପରେ ଅନ୍ୟ କ୍ୟାନ୍ସର ପୀଡ଼ିତଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍ତି। ବ୍ୟାଙ୍କ କର୍ମଚାରୀ ଭାବେ ଅବସର ନେଇଥିବା ଦୁର୍ଗା ତାଙ୍କ ସ୍ବାମୀଙ୍କ ଦେହାନ୍ତ ପରେ ୨୦୧୦ରେ ପ୍ରଥମେ ସ୍ତନ କର୍କଟରେ ପୀଡ଼ିତ ହୋଇଥିଲେ ଓ ଚିକିତ୍ସା ଦ୍ୱାରା ସୁସ୍ଥ ହୋଇଥିଲେ। ପୁନଶ୍ଚ ଫୁସ୍ଫୁସ୍ରେ କ୍ୟାନ୍ସର ଚିହ୍ନଟ ହେବା ପରେ ସେ ମଧ୍ୟ ଏହାକୁ ସାମ୍ନାକରି ସୁସ୍ଥ ହୋଇପାରିଥିଲେ। ତା’ ପରେ ସେ ଦିଲ୍ଲୀର ଓମେଗା ହସ୍ପିଟାଲରେ ସ୍ବେଚ୍ଛାକୃତ ଭାବେ ରୋଗୀଙ୍କୁ ୯ମାସ ପର୍ଯ୍ୟନ୍ତ ଆର୍ଥିକ ଓ ଅନ୍ୟାନ୍ୟ ସେବା ଯୋଗାଇଦେବା ପରେ ଏବେ ସିକନ୍ଦରାବାଦର ସୌମ୍ୟା କମ୍ପ୍ରେହେନସିଭ କ୍ୟାନ୍ସର ସେଣ୍ଟରରେ କର୍କଟ ପୀଡ଼ିତମାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍ତି। କ୍ୟାନ୍ସର ଚିକିତ୍ସା ଲାଗି ପାଣ୍ଠି ଯୋଗାଡ଼ କରୁଥିବା କିଛି ବିଦେଶୀ ସଂସ୍ଥା ଦ୍ୱାରା ଉତ୍ସାହିତ ହୋଇ ସୌମ୍ୟ ହସ୍ପିଟାଲରେ ରୋଗୀମାନଙ୍କ ପାଇଁ ଅର୍ଥ ଯୋଗାଡ଼ କରିବା ଆରମ୍ଭ କରୁଛନ୍ତି। ସେ ତାଙ୍କ ବନ୍ଧୁବାନ୍ଧବ ଓ ପୂର୍ବତନ ବ୍ୟାଙ୍କ କର୍ମଚାରୀଙ୍କଠାରୁ ୧୬ ଦିନରେ ୨୦ ଲକ୍ଷ ଟଙ୍କାର ପାଣ୍ଠି ଯୋଗାଡ଼ କରି ଏଯାବତ୍ ୫୦ ଜଣ ରୋଗୀଙ୍କୁ ସାହାଯ୍ୟ କରିସାରିଲେଣି।