ଏଇ ଭାରତରେ

ଜୀବନ କେମିତି ଗଢ଼ିବାକୁ ହୁଏ, ଜୀବିକା ଲାଗି ସଂଗ୍ରାମ କରି ନିଜେ ବଞ୍ଚି ଅନ୍ୟମାନଙ୍କ ମୁହଁରେ କେମିତି ହସ ଫୁଟାଇବାକୁ ହୁଏ; ତାହାର ଏକ ଦୃଷ୍ଟାନ୍ତ ହେଉଛନ୍ତି ମଧୁମିତା ଶ। ପିପଲ ଟ୍ରି ସଂସ୍ଥା ମାଧ୍ୟମରେ ହସ୍ତକଳା ବ୍ୟବସାୟ କରି ଏବେ ସେ ବର୍ଷକୁ ୬୦ ଲକ୍ଷ ଟଙ୍କା ରୋଜଗାର କରିବା ସହ ଅନେକ ଶହ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। ତାଙ୍କ ବ୍ୟବସାୟ ପଛରେ ଏକ କାହାଣୀ ବି ରହିଛି। ଝାଡ଼ଖଣ୍ଡର ଜାମସେଦପୁର ଘଟଶିଳା ନିବାସୀ ମଧୁମିତା ୨୦୧୨ରେ ବିବାହ କରିବାର ୬ ମାସ ପରେ ଶାଶୁଘର ଲୋକେ ତାଙ୍କ ବାପାଙ୍କଠାରୁ ୧ ଲକ୍ଷ ଟଙ୍କା ଆଣିବା ଲାଗି କହିବାରୁ ସେ ରୋକ୍‌ଠୋକ ମନା କରିଦେଇଥିଲେ। ପରେ ତାଙ୍କୁ ସେଠାରେ ଅଣଦେଖା କରାଗଲା ଓ ଶେଷରେ ଶାଶୁଘର ଛାଡ଼ିବାକୁ ପଡ଼ିଲା। ଏହାପରେ ମଧୁମିତା ଭାଙ୍ଗି ନ ପଡ଼ି ୨୦୧୫ରେ ପ୍ରଥମେ ୩ ଜଣ ଆଦିବାସୀ ମହିଳାଙ୍କୁ ନେଇ ହସ୍ତକଳା ସାମଗ୍ରୀ ବ୍ୟବସାୟ ଆରମ୍ଭ କରିଥିଲେ। ପରେ ପିପଲ ଟ୍ରି ଗଢ଼ି ଅଧିକ ଆଦିବାସୀ ମହିଳାଙ୍କୁ ନିଯୁକ୍ତ କରି ଚାବି ରିଙ୍ଗ, କାଠ ଟ୍ରେ, ପେନ୍‌ ଷ୍ଟାଣ୍ଡ ଆଦି ୨୦୦ ପ୍ରକାର ସାମଗ୍ରୀ ତିଆରି କରି ବିକ୍ରି କରୁଛନ୍ତି। ଏଥିପାଇଁ ସେ ୨୦୦ ମହିଳାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି ଓ ସେମାନେ ମାସିକ ୧୫,୦୦୦ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇପାରିଛନ୍ତି।