ଏଇ ଭାରତରେ

ସହରଗୁଡ଼ିକରେ ବର୍ଜ୍ୟ ଠୁଳ ହେବାକୁ ନେଇ ବହୁ ସମୟରେ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିବାଦ ଦେଖାଯାଇଥାଏ। କିନ୍ତୁ ସେହି ସ୍ଥାନରେ ଯଦି ଜଙ୍ଗଲ କରାଯାଏ ତେବେ ତାହା ପରିବେଶ ପାଇଁ ଉପଯୋଗୀ ହେବା ସହ ଜନଅସନ୍ତୋଷକୁ ରୋକିପାରିବ। ଏହିଭଳି ଭାବନାକୁ ଗ୍ରହଣ କରିଛନ୍ତି ନଭି ମୁମ୍ବାଇର ସିଭିକ୍‌ ଚିଫ୍‌ ତଥା ଆଇଏଏସ୍‌ ଅଧିକାରୀ ଅଭିଜିତ ବାଙ୍ଗର। ସେ ନଭି ମୁମ୍ବାଇ କୋପରଖୈରେନ ଅଞ୍ଚଳରେ ଏକ ବୃହତ୍‌ ଡମ୍ପୟାର୍ଡକୁ ମିିଓ୍ବାକି ପଦ୍ଧତିରେ ଜଙ୍ଗଲ କରିପାରିଛନ୍ତି। ମିଓ୍ବାକି ପଦ୍ଧତିରେ ମାତ୍ର ୧ ବର୍ଷ ମଧ୍ୟରେ ଏହି ଜଙ୍ଗଲ ହୋଇପାରିଛି। ଏଭଳି ଜଙ୍ଗଲ କରିବା ଲାଗି ଡମ୍ପ୍‌ୟାର୍ଡର ଏକ ମିଟର ଯାଏ ବର୍ଜ୍ୟର ସ୍ଥିତି ଆକଳନ କରାଯାଇଥାଏ ବୋଲି କହନ୍ତି ବାଙ୍ଗର। ପରେ ଏଥିପାଇଁ କିଛି ଶୁଦ୍ଧ ମାଟି ମଧ୍ୟ ବ୍ୟବହାର କରାଯାଏ। ଏହା ପୂର୍ବରୁ ବାଙ୍ଗରେ ନାଗପୁରରେ ମଧ୍ୟ ଏଭଳି ଏକ ଜଙ୍ଗଲ କରିଥିଲେ। ଏଭଳି ଜଙ୍ଗଲ ପାଇଁ ସେ ‘ଗ୍ରୀନ୍‌ ଯାତ୍ରା’ ଏନ୍‌ଜିଓର ସହଯୋଗ ନେଉଛନ୍ତି। ଉକ୍ତ ଏନ୍‌ଜିଓ ଭାରତର ବିଭିନ୍ନ ସହରରେ ଡମ୍ପୟାର୍ଡରେ ଜଙ୍ଗଲ କରୁଛି। ନଭି ମୁମ୍ବାଇରେ ସୃଷ୍ଟି କରାଯାଇଥିବା ଜଙ୍ଗଲରେ ଜାମୁ, ନିମ୍ବ, ଆମ୍ବ, ପଳାଶ, ଅଁଳା ସହ ୬୦ ପ୍ରକାରର ୬୦ ହଜାର ଗଛ ଲଗାଯାଇଛି। ମାଟିର ଉର୍ବରତା ବୃଦ୍ଧି କରିବା ପାଇଁ ଜୈବିକ ଓ ପ୍ରାକୃତିକ ସାମଗ୍ରୀ ବ୍ୟବହାର କରାଯାଇଛି। ଏବେ ଏହି ଜଙ୍ଗଲରେ ୩୫ ପ୍ରଜାତିର ପକ୍ଷୀ, ୧୫ ପ୍ରକାର ପ୍ରଜାପତି, ୧୨ ପ୍ରଜାତି ସାପ ରହି ସାରିଲେଣି। ଏହି ଜଙ୍ଗଲ ପାଇଁ ଏକ ପ୍ରସିଦ୍ଧ ସଙ୍ଗୀତ କମ୍ପାନୀ ପାଣ୍ଠି ଯୋଗାଇ ଦେଇଛି।