ଏଇ ଭାରତରେ

ଦୁନିଆରେ ଏମିତି ପିଲା ଅଛନ୍ତି ଯେଉଁମାନଙ୍କର କେହି ବି ନାହାନ୍ତି, ନା ଅଛି ଘର ନା ଅଛି ଶିକ୍ଷା। ସେମାନେ ରାସ୍ତା କଡ଼ର ବାସିନ୍ଦା, ସେମାନେ ପୁଣି ନିର୍ଯାତିତ। ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ଅନେକ ସମାଜସେବୀ ତଥା ସଂସ୍ଥା ପ୍ରୟାସ ଜାରି ରଖିଛନ୍ତି। ହେଲେ ଏଭଳି ଶିଶୁମାନଙ୍କୁ ସାମାଜିକ କ୍ଷେତ୍ରରେ ସଶକ୍ତ କରିବାରେ ଫରିଦାବାଦର ବୀଣା ଲାଲଙ୍କ ଚେଷ୍ଟା କିନ୍ତୁ ନିଆରା। ତାଙ୍କ ଇଚ୍ଛାଶକ୍ତି ଓ ସେବା ମନୋଭାବ ସଭିଙ୍କ ହୃଦୟ ଜିତିପାରିଛି। ସେ କାହାଠାରୁ କୌଣସି ଆର୍ଥିକ ଅନୁଦାନ ଗ୍ରହଣ ନ କରି ନିଜସ୍ବ ରୋଜଗାରରେ ଅସହାୟ ଶିଶୁମାନଙ୍କର ସାହାରା ପାଲଟିଛନ୍ତି। ବୀଣା ୧୯୯୭ରେ ‘କର୍ମମାର୍ଗ’ ଏନ୍‌ଜିଓ ଗଠନ କରି ସେବା ଜାରି ରଖିଛନ୍ତି। ସେ ଅଦରକାରୀ ଖବରକାଗଜ, ପ୍ଲାଷ୍ଟିକ ବୋତଲ ଏବଂ ଅଦରକାରୀ କପଡ଼ା ବ୍ୟବହାର କରି ବିଭିନ୍ନ ଜିନିଷ ପ୍ରସ୍ତୁତ କରୁଛନ୍ତି ଓ ତାହାକୁ ବିକ୍ରି କରି ଯେତିକି ଟଙ୍କା ପାଉଛନ୍ତି ପିଲାଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି। ପିଲାମାନଙ୍କୁ ପଢ଼ାଇବା ସକାଶେ ସେ ମହିଳାମାନଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନେ ପିଲାମାନଙ୍କୁ ପଢ଼ାଇବା ସହ ବିଭିନ୍ନ ଜିନିଷ ତିଆରି କଳାକୌଶଳ ଶିଖାଉଛନ୍ତି। ଏବେ ସୁଦ୍ଧା ସେ ୧୫୦୦ ଶିଶୁଙ୍କୁ ଶିକ୍ଷା ଦେଇସାରିଛନ୍ତି ଓ ସେମାନଙ୍କ ମଧ୍ୟରୁ ଅନେକ ସ୍ବାସ୍ଥ୍ୟ, ଶିଳ୍ପ, ଫ୍ୟାଶନ୍‌ ଏବଂ ପ୍ରାଣୀ ଉଦ୍ଧାର କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିଛନ୍ତି ବୋଲି କହନ୍ତି ୫୫ ବର୍ଷୀୟା ବୀଣା।