ଏଇ ଭାରତରେ

ପୂଜା ଫୁଲ ଘରେ ଘରେ ପହଞ୍ଚାଇ ବର୍ଷକୁ ୮ କୋଟି ଟଙ୍କାର କାରବାର କରୁଛନ୍ତି ଦୁଇ ଭଉଣୀ। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ବେଙ୍ଗାଲୁରୁର ଯଶୋଦା ଏବଂ ରେହା କର୍ତ୍ତୁରି ଏହି କାର୍ଯ୍ୟ କରୁଛନ୍ତି। ଦୁଇ ଭଉଣୀ ହୁଭୁ (କର୍ନାଟକର ଫୁଲ) ଷ୍ଟାର୍ଟଅପ୍‌ ମାଧ୍ୟମରେ ସବ୍‌ସ୍କ୍ରିବ୍‌ଶନ୍‌ ମଡେଲରେ ଘରେ ଘରେ ଫୁଲ ଯୋଗାଇ ଦେଉଛନ୍ତି। ସେମାନେ ପଦ୍ମ, ଯଶ୍ମିନ୍‌, ଗେଣ୍ଡୁ, ଗୋଲାପ ସମେତ ବିଭିନ୍ନ ଫୁଲ ଦେଉଛନ୍ତି। ବେଙ୍ଗାଲୁରୁରେ ଜନ୍ମିତ ଏହି ଦୁଇ ଭଉଣୀ ବଢ଼ିଛନ୍ତି ଇଥିଓପିଆରେ। କାରଣ ସେଠାରେ ତାଙ୍କ ବାପା ରାମ କର୍ତ୍ତୁରିଙ୍କ ଗୋଲାପ ଫାର୍ମ ରହିଥିଲା। ଦୁଇ ଭଉଣୀ ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିରେ ଡିଗ୍ରୀ କରୁଥିବା ସମୟରେ ଯଶୋଦା ଏହି କାର୍ଯ୍ୟ ଆରମ୍ଭ କରିବାକୁ ଚିନ୍ତା କରିଥିଲେ। ପ୍ରଥମେ ସେମାନେ ୧୦ ଲକ୍ଷ ଟଙ୍କାରେ ହୁଭୁ ସଂସ୍ଥା ଆରମ୍ଭ କରିଥିଲେ। ଏବେ ସେମାନେ ବିଭିନ୍ନ ଫାର୍ମ ଓ କୃଷକଙ୍କଠାରୁ ଫୁଲ ସଂଗ୍ରହ କରିବା ସହ କର୍ନାଟକ, କେରଳ ଓ ତାମିଲନାଡୁର ୫୦ରୁ ଊର୍ଦ୍ଧ୍ୱ କୃଷକଙ୍କୁ ତାଙ୍କ ସଂସ୍ଥା ସହ ସାମିଲ କରିପାରିଛନ୍ତି। ଲୋକମାନେ କେବଳ ପୂଜା ପାଇଁ ଫୁଲ ନୁହେଁ ବରଂ ଅଟୋ, କାର୍‌, ଦୋକାନ, ଅଫିସ ଏବଂ ଚୁଟିରେ ଲଗାଇବା ଲାଗି ଫୁଲ ମଗାଉଛନ୍ତି। ୩ରୁ ୧୫ ଦିନ ଫୁଲ ସତେଜ ରହିବା ଭଳି ପ୍ୟାକିଂ କରାଯାଉଛି। ବେଙ୍ଗାଲୁରୁ, ହାଇଦ୍ରାବାଦ, ମାଡ୍ରାସ, ମହୀଶୂର, ପୁଣେ, ମୁମ୍ବାଇ, ଗୁରୁଗ୍ରାମ ଏବଂ ନୋଏଡା ଆଦି ସ୍ଥାନରୁ ସେମାନେ ମାସକୁ ଦେଢ଼ଲକ୍ଷରୁ ଅଧିକ ଅର୍ଡର ପାଇପାରୁଛନ୍ତି।