ଏଇ ଭାରତରେ

ନିଜ ମା’ଙ୍କୁ ଗର୍ଭପାତ ପାଇଁ ପଡ଼ୋଶୀ ଓ ପରିବାର ବାଧ୍ୟ କରୁଥିବା ସ୍ଥିତିକୁ ପିଲାବେଳେ ଭଲ ଭାବେ ଅନୁଭବ କରିଥିବା ଝିଅ ସଞ୍ଜୋଲି ବାନାର୍ଜୀ ଏହାକୁ ରୋକିବା ଲାଗି ଅଭିଯାନ ଚଳାଇଛନ୍ତି। ସେଥିପାଇଁ ସଞ୍ଜୋଲିଙ୍କୁ ୭ ବର୍ଷ ବୟସ ହୋଇଥିବାବେଳେ ସେ କନ୍ୟାଭ୍ରୂଣ ହତ୍ୟା ବିରୋଧରେ ଅଭିନୟ ମାଧ୍ୟମରେ ଲୋକଙ୍କୁ ସଚେତନ କରି ପୁରସ୍କୃତ ହୋଇଥିଲେ। ଏଭଳି କାର୍ଯ୍ୟକୁ ପାଖରୁ ଲକ୍ଷ୍ୟ କରୁଥିବା ସାନଭଉଣୀ ଅନନ୍ୟା ବି ତାଙ୍କ ସହ ସାମିଲ ହୋଇଗଲେ। ଏବେ ସଞ୍ଜୋଲି ସୋସିଆଲ ଓ୍ବାର୍କରେ ସ୍ନାତକୋତ୍ତର ଏବଂ ଅନନ୍ୟା ସାଇକୋଲୋଜିରେ ସ୍ନାତକ ଛାତ୍ରୀ। କର୍ନାଟକ କର୍ନଲର ଏହି ଦୁଇ ଭଉଣୀ ଶିକ୍ଷା, ଋତୁସ୍ରାବ ସମୟର ସ୍ବାସ୍ଥ୍ୟ ରକ୍ଷା, ମାନସିକ ସ୍ବାସ୍ଥ୍ୟ ଉପରେ ସଚେତନ କରୁଛନ୍ତି। ଏଥିପାଇଁ ସେମାନେ ରାଲି ମଧ୍ୟ ଆୟୋଜନ କରୁଛନ୍ତି। ସାମାଜିକ ସେବା ଲାଗି ତାଙ୍କ ପିତା ଗଠନ କରିଥିବା ଏନ୍‌ଜିଓ ‘ସାରଥି’ର କାର୍ଯ୍ୟ ପରିସରରେ ସେମାନେ ଏହିସବୁ ଅଭିଯାନକୁ ସାମିଲ କରିବା ପରେ ଏହା ସମ୍ପ୍ରସାରିତ ହୋଇଛି। ଦୁଇ ଭଉଣୀଙ୍କ ସହ ଏବେ ୨୫୦ ଯୁବ ସ୍ବେଚ୍ଛାସେବୀ ଯୋଡ଼ି ହୋଇଛନ୍ତି। ସେମାନେ ଏବେ ସୁଦ୍ଧା ୭ ରାଜ୍ୟରେ ‘ସେଭ୍‌ ଡଟର, ସେଭ୍‌ ଆର୍ଥ’ ମିଶନରେ ୪,୮୦୦କି.ମି. ଅତିକ୍ରମ କରିଛନ୍ତି। ଏହି ସମୟରେ ସେମାନେ ‘ଆର୍ଥ ଇନ୍‌ ଫ୍ଲେମ୍‌’ ଡକ୍ୟୁମେଣ୍ଟାରି ପ୍ରସ୍ତୁତ ମଧ୍ୟ କରି ପୃଥିବୀକୁ ରକ୍ଷା କରିବା ଲାଗି ସ୍କୁଲ କଲେଜଗୁଡ଼ିକରେ ସେମିନାର ଆୟୋଜନ କରୁଛନ୍ତି। ଦୁଇ ଭଉଣୀ ହରିୟାଣାର ଦରାର ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରି ପିଲାମାନଙ୍କ ଲାଗି ‘ସୁଶିକ୍ଷା’ ମୋବାଇଲ ସ୍କୁଲ ଚଳାଉଛନ୍ତି। ଏହି ସ୍କୁଲରେ ୮୦ ପିଲା ପଢୁଛନ୍ତି। କର୍ନଲରେ ବିଭିନ୍ନ ସ୍କୁଲରେ ଗରିବ ଝିଅମାନଙ୍କୁ ୬ ହଜାରରୁ ଊର୍ଦ୍ଧ୍ୱ ପ୍ୟାଡ୍‌ ବଣ୍ଟନ କରିଛନ୍ତି।