ଏଇ ଭାରତରେ

ନୂତନତ୍ୱ ବହୁ ସମୟରେ ଅନେକଙ୍କୁ ଭିନ୍ନ ପରିଚୟ ଦେଇଥାଏ, ଯାହା ଘଟିଛି ପଶ୍ଚିମବଙ୍ଗର ଦୀପ୍ତେନ୍ଦୁ ରୟଙ୍କ ଜୀବନରେ। ଦୀପ୍ତେନ୍ଦୁ ଯାତ୍ରୀଙ୍କ ସୁବିଧା ଲାଗି ରାଜପଥ କଡ଼ରେ ପୁରୁଣା ବସ୍‌ରେ ବିଶ୍ରାମ ଗୃହ ନିର୍ମାଣ କରିଛନ୍ତି। ବିଶେଷକରି ମହିଳା ଯାତ୍ରୀମାନଙ୍କ ପାଇଁ ଏହା କରାଯାଇଛି। ଦୀପ୍ତେନ୍ଦୁ ସାମ୍ବାଦିକତା ଛାଡ଼ି ୨୦୧୮ରେ ‘ୟେଲୋ’ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରି ଏହି କାର୍ଯ୍ୟ କରୁଛନ୍ତି। ଭୋଲପୁର ମହିଳା ମହାସଂଘ ଏବଂ ‘ୟେଲୋ’ ସହଯୋଗରେ ଏଭଳି ବିଶ୍ରାମଗୃହ ନିର୍ମାଣ କରାଯାଇଛି। ମହିଳାମାନେ ରାଜପଥରେ ଦୀର୍ଘଯାତ୍ରା କରୁଥିବା ସମୟରେ ବହୁ ସମୟରେ ଜରୁରୀ ପରିସ୍ଥିତିର ସାମ୍ନା କରିଥାନ୍ତି ଏବଂ ଏକ ରେଷ୍ଟ ରୁମ୍‌ ଆବଶ୍ୟକ କରୁଥିବା ସମୟରେ ତାହା ଉପଲବ୍ଧ ହୋଇପାରି ନ ଥାଏ। ଏହି ସମସ୍ୟା ଦେଖିବାକୁ ପାଇଥିଲେ ଦୀପ୍ତେନ୍ଦୁ । ଏହାର ସମାଧାନ ଲାଗି ସେ ପୁରୁଣା ବସ୍‌ରେ ରେଷ୍ଟରୁମ୍‌ ନିର୍ମାଣ ଲାଗି ନିଷ୍ପତ୍ତି ନେଇ ଚାକିରି ଛାଡ଼ିଥିଲେ। ବସ୍‌ରେ ନିର୍ମିତ ରେଷ୍ଟରୁମ୍‌ର ପ୍ରଥମ ପ୍ରୋଟୋଟାଇପ୍‌ ଶାନ୍ତିନିକେତନରେ ଆରମ୍ଭ କରାଯାଇଛି। ଏଥିରେ ୩ଟି ଓ୍ବାଶ୍‌ରୁମ୍‌, ଗୋଟିଏ ବାଥ୍‌ରୁମ୍‌ ଏବଂ ଚେଞ୍ଜିଂରୁମ୍‌ ରହିଛି। ଶିଶୁଙ୍କୁ ସ୍ତନ୍ୟପାନ କରାଇବା ଲାଗି ମଧ୍ୟ ସ୍ବତନ୍ତ୍ର ରୁମ୍‌ର ବ୍ୟବସ୍ଥା କରାଯାଇଛି। ଭୋଲପୁର ମହିଳା ମହାସଂଘ ଏହାର ଦେଖାରଖା କରୁଛି। ଏଥିପାଇଁ ଜିଲା ପ୍ରଶାସନ ମଧ୍ୟ ସହଯୋଗ କରୁଛି। ଆଗକୁ ଏଭଳି ଅଧିକ ରେଷ୍ଟ୍‌ରୁମ୍‌ କରାଯାଇ ରାଜପଥ କଡ଼ରେ ରଖାଯିବ ବୋଲି କହିଛନ୍ତି ଦୀପ୍ତେନ୍ଦୁ।