ଏଇ ଭାରତରେ

ପୁଣେର ଝିଅ ଶାଲ୍‌ମଲି ନଳାଓ୍ବାଡେଙ୍କ ଦୃଢ଼ ଇଚ୍ଛାଶକ୍ତି ଆଗରେ ବୟସ ହାର ମାନିଛି। ବୟସ ୧୪, କିନ୍ତୁ ପୁଣେର ମୁଥା ନଦୀକୁ ସଫା କରିବା ଲାଗି ସେ ଅଭିଯାନ ଚଳାଇଛନ୍ତି। ଏହା ସେ ତିନି ବର୍ଷ ପୂର୍ବରୁ ଅର୍ଥାତ୍‌ ୧୧ ବର୍ଷ ବୟସରୁ ଆରମ୍ଭ କରିଥିଲେ। ଏହି ସମୟରେ ସେ ମୁଥୁ ନଦୀର ଓ୍ବାର୍‌ଜେ ବ୍ରିଜ୍‌ ଉପରେ ଠିଆହୋଇ ପାଣିରେ ବର୍ଜ୍ୟ ପଡିଥିବା ଲକ୍ଷ୍ୟ କରିଥିଲେ। ପରେ ସେ ନଦୀ ପ୍ରଦୂଷଣ ଦୂର କରିବାକୁ ନିଷ୍ପତ୍ତି ନେଇଥିଲେ। ସେବେଠାରୁ ସେ ବ୍ରିଜ ଉପରେ ଠିଆ ହୋଇ ଲୋକମାନଙ୍କୁ ନଦୀରେ ବର୍ଜ୍ୟ ନ ପକାଇବା ଲାଗି ବାରଣ କରି ଆସୁଛନ୍ତି। ସେ ଏକା ଏମିତି ଦିନ ସାରା ଠିଆ ହୋଇ କେତେଦିନ ବା କରିପାରିଥାଆନ୍ତେ। ପରେ ସେ ପିଲାମାନଙ୍କୁ ନେଇ ଏକ ସ୍ବେଚ୍ଛାସେବୀ ଟିମ୍‌ ଗଠନ କରି ନଦୀ ସୁରକ୍ଷାରେ ଲାଗିଛନ୍ତି। ଶାଲମଲିଙ୍କ ଟିମ୍‌ରେ ୧୫ ଜଣ ପିଲା ସାମିଲ ହୋଇଛନ୍ତି। କେବଳ ଏତିକି ନୁହେଁ, ସେ ମୁଥୁ ନଦୀ କୂଳ ସଫା କରିବା ପାଇଁ ‘ଜୀବିତନଦୀ’ ଏନ୍‌ଜିଓର ଅଭିଯାନରେ ପ୍ରତି ରବିବାର ତାଙ୍କ ଟିିମ୍‌ ସହ ଯୋଗ ଦେଉଛନ୍ତି। ଶାଲ୍‌ମଲିଙ୍କ ପିତା ଜଣେ ବ୍ୟବସାୟୀ ଓ ମାତା ଗୃହିଣୀ। ସେମାନେ ସୁବୁବେଳେ ଏହି କାର୍ଯ୍ୟରେ ସହଯୋଗ କରୁଆସୁଛନ୍ତି। ବହୁ ସମୟରେ ଅଭିଭାବକମାନେ ପିଲାମାନଙ୍କୁ ନଦୀ ପାଖକୁ ନେବାରେ ବିଳମ୍ବ କଲେ ସେମାନେ ସାଇକେଲରେ ପହଞ୍ଚି ଯାଉଛନ୍ତି। ମୁଥୁ ନଦୀକୁ ପ୍ରଦୂଷଣମୁକ୍ତ କରିବା ଲାଗି ପିଲାମାନଙ୍କ ଉଦ୍ୟମକୁ ପ୍ରଶଂସା କରାଯାଉଛି।