ଏଇ ଭାରତରେ

ପରିବେଶ ସ୍ବଚ୍ଛ ରହିଲେ ସଭିଙ୍କୁ ଉପକାର, ଏହା ଭଲ ଭାବେ ବୁଝିଛନ୍ତି ମହାରାଷ୍ଟ୍ରର ରାନମାଲା ଗାଁର ପୋପାଟ ସିନ୍ଦେ। ସେ ଶିକ୍ଷକ ଥିଲେ ଓ ସେଥିରୁ ସ୍ବେଚ୍ଛାକୃତ ଅବସର ନେଇ ଗଛ ଲଗାଇବା କାମରେ ଲାଗିଛନ୍ତି। ସମସ୍ତ ଗ୍ରାମବାସୀଙ୍କୁ ଏହି ଅଭିଯାନରେ ସାମିଲ କରିପାରିଛନ୍ତି। ସିନ୍ଦେଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଲକ୍ଷାଧିକ ଗଛ ଲଗାଇ ସାରିଲେଣି। ଯିଏ ଗଛ ଲଗାଉଛନ୍ତି ସେ ତାହାକୁ ପୋଷ୍ୟ ଭାବେ ଗ୍ରହଣ କରି ସେଥିରେ ତାଙ୍କ ନାମ ଲେଖୁଛନ୍ତିି। ସେହି ବ୍ୟକ୍ତି ବି ତା’ର ଯତ୍ନ ନେଉଛନ୍ତି। ୨୫ ବର୍ଷ ଚାକିରି କରିବା ପରେ ୧୯୯୬ରେ ସିନ୍ଦେ ସ୍ବେଚ୍ଛାକୃତ ଅବସର ନେଇ ସେବେଠାରୁ ଗଛ ଲଗାଇ ଆସୁଛନ୍ତି। ସିନ୍ଦେ ପ୍ରଥମେ ଗାଁର ଲୋକମାନଙ୍କୁ ଚାରା ଦେଇ ସେମାନଙ୍କ ବାଡିରେ ଲଗାଇବା ଲାଗି ଉତ୍ସାହିତ କରିଥିଲେ । ପରେ ବାହାରେ ମଳତ୍ୟାଗ ରୋକି ପରିବେଶ ପ୍ରଦୂଷଣ ଦୂର କରିବା ଲାଗି ପଡିଆ ଜମିରେ ଗ୍ରାମବାସୀଙ୍କ ସହଯୋଗରେ ଗଛ ଲଗାଇବା ଆରମ୍ଭ କରିଥିଲେ। ଏବେ ଗାଁର ମହିଳାମାନେ ଗଛ ଲଗାଇବା ଅଭିଯାନରେ ଯୋଗ ଦେଇଛନ୍ତି। ପରିବାରରେ ଯଦି କାହାର ଦେହାନ୍ତ ହେଉଛି ତାଙ୍କ ସ୍ମୃତିରେ ଲୋକେ ଗଛ ଲଗାଇ ସେଥିରେ ଫଳକ ଝୁଲାଇ ଦେଉଛନ୍ତି। ଏବେସୁଦ୍ଧା ଗ୍ରାମବାସୀ ଗାଁ ଓ ଆଖପାଖ ତିନୋଟି ପାହାଡରେ ୧.୮ ଲକ୍ଷରୁ ଊର୍ଦ୍ଧ୍ୱ ଗଛ ଲଗାଇ ସାରିଲେଣି।