ପରିବେଶକୁ ରକ୍ଷା ଲାଗି ଏବେ ତାପଜ ବିଦ୍ୟୁତ୍ ପରିବର୍ତ୍ତେ ସୌର ଶକ୍ତି ଉତ୍ପାଦନକୁ ପ୍ରାଧାନ୍ୟ ଦିଆଯାଉଛି। ଏହି କ୍ରମରେ ସୋଲାର ପାଓ୍ବାର ଷ୍ଟେଶନ ସଂଖ୍ୟା ବୃଦ୍ଧି ପାଉଛି ଓ ସେହି ଅନୁପାତରେ ସୌର ପ୍ୟାନେଲ ବର୍ଜ୍ୟ ବଢ଼ିବାରେ ଲାଗିଛି। ୨୦୩୦ ସୁଦ୍ଧା ଭାରତରେ ଏହି ବର୍ଜ୍ୟ ୨ ଲକ୍ଷ ଟନ୍ ହେବ ବୋଲି ଆକଳନ କରାଯାଇଥିବା ବେଳେ ଏହାର ରିସାଇକ୍ଲିଂ କରିବାକୁ ବେଙ୍ଗାଲୁରୁର ଭାରତୀୟ ବିଜ୍ଞାନ ସଂସ୍ଥା (ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ)ର ବୈଜ୍ଞାନିକମାନେ ଏକ ବିକଳ୍ପ ଖୋଜି ପାଇଛନ୍ତି। ସୋଲାର ପ୍ୟାନେଲ ବର୍ଜ୍ୟର ଗମ୍ଭୀର ପ୍ରଭାବରୁ ପରିବେଶକୁ ରକ୍ଷା ଲାଗି ବୈଜ୍ଞାନିକମାନେ ସେଥିରେ ଘର ଓ ଫର୍ନିଚର ତିଆରି କରିବାକୁ ସକ୍ଷମ ହୋଇଛନ୍ତି। ଡ. ମଣ୍ଟୋ ମଣିଙ୍କ ନେତୃତ୍ୱରେ ବୈଜ୍ଞାନିକ ଟିମ୍ ୨୦୧୮ରେ ପ୍ରୋଜେକ୍ଟ ଆରମ୍ଭ କରି ସୋଲାର ପ୍ୟାନେଲ ବର୍ଜ୍ୟର କ୍ଷତି ଆକଳନ କରିବା ପରେ ତାହାକୁ ଦୂର କରିବାର ଉପାୟ ପାଇଥିଲେ। ପରେ ସେମାନେ ନିଷ୍କ୍ରିୟ ସୋଲାର ପ୍ୟାନେଲ ବ୍ୟବହାର କରି ଶସ୍ତାରେ ଘର ନିର୍ମାଣ କରିବାକୁ ସକ୍ଷମ ହୋଇଛନ୍ତି। ୨୫ ବର୍ଷ ପରେ ଏହି ସୋଲାର ପ୍ୟାନେଲ ଅଦରକାରୀ ହୋଇଯାଏ। ଏଣୁ ଏହି ପ୍ୟାନେଲକୁ ସଂଗ୍ରହ କରି ଡ. ମଣି ଓ ତାଙ୍କ ଟିମ୍ ଘର, ଟେବୁଲ ଆଦି ନିର୍ମାଣ କରିପାରିଛନ୍ତି। ୨୦୩୦ ପରେ ସୋଲାର ପ୍ୟାନେଲ ବର୍ଜ୍ୟ ଆହୁରି ବୃଦ୍ଧି ପାଇ ୨୦୫୦ ସୁଦ୍ଧା ୭୮ ମିଲିୟନ ଟନ୍ ଛୁଇଁବ। ଏଣୁ ଏବେଠାରୁ ଏହାର ରିସାଇକ୍ଲିଂ କରି ଘର ଓ ଅନ୍ୟାନ୍ୟ ଉପକରଣ ତିଆରି କରିବା ଲାଗି ସ୍ବତନ୍ତ୍ର ଟେକ୍ନିକ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି କହନ୍ତି ମଣି।