ଏଇ ଭାରତରେ

ଜୀବନରେ ରିକ୍ସାଚାଳକ ଭାବେ ଏକ କଷ୍ଟକର ଜୀବନ ବଞ୍ଚିବାର ଅନୁଭୂତି ଥିଲା ହରିୟାଣାର ଧରମବୀର କାମ୍ବୋଜଙ୍କର। ଦିଲ୍ଲୀରେ ରିକ୍ସା ଚଳାଇ ଅନେକ ରାତି ବସ୍‌ଷ୍ଟାଣ୍ଡରେ ଶୋଇଛନ୍ତି। ଯମୁନାନଗର ଜିଲାର ଡାମଲା ଗାଁର ଧରମବୀର ଏହି ସଂଘର୍ଷମୟ ଜୀବିକାରେ ସୀମିତ ନ ରହି ଆଗକୁ ବଢ଼ି ସଫଳ ଆବିଷ୍କାରକ ହୋଇ ପାରିଛନ୍ତି। କୃଷିକ୍ଷେତ୍ରରେ ନୂତନ ଚିନ୍ତାଧାରା ତାଙ୍କୁ ଏକ ନୂଆ ପରିଚୟ ଦେଇଛି। ସେଥିପାଇଁ ତାଙ୍କୁ ଲୋକେ କହୁଛନ୍ତି କିଷାନ ଧରମବୀର। ତାଙ୍କ ଦ୍ୱାରା ନିର୍ମିତ ଛୋଟ ମଲ୍ଟିପର୍ପୋଜ ଫୁଡ୍‌ ପ୍ରୋସେସିଂ(ଏମ୍‌ପିପି) ମେଶିନ ପ୍ୟାଣ୍ଟେଟ ପ୍ରାପ୍ତ ହେବା ପରେ ସେ ବହୁ ଲକ୍ଷ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇପାରିଛନ୍ତି। ଧରମବୀରଙ୍କ ବୟସ ୫୯।
ସେ କୃଷିକାର୍ଯ୍ୟରେ ବ୍ୟସ୍ତ ରହିବା ସହ କୃଷି ମେଶିନ ଆବିଷ୍କାର କରିଛନ୍ତି ଓ ଜଣେ ଉଦ୍ୟୋଗୀ ବି ହୋଇଯାଇଛନ୍ତି। ତାଙ୍କ ଦ୍ୱାରା ନିର୍ମିତ ଫୁଡ୍‌ ପ୍ରୋସେସିଂ ମେଶିନରେ ପରିବା, ଫଳ, ମଞ୍ଜି ଆଦି ପ୍ରୋସେସିଂ କରାଯାଉଛି ଓ ଏହା ଏବେ ୧୫ ଦେଶରେ ବ୍ୟବହାର କରାଯାଉଛି। ଧରମବୀର ସାରା ଭାରତରେ ପ୍ରୋସେସିଂ ଉପରେ ୭,୦୦୦ ଲୋକଙ୍କୁ ପ୍ରଶିକ୍ଷଣ ଦେଇସାରିଲେଣି।