ଏଇ ଭାରତରେ

ଇଞ୍ଜିନିୟରିଂ ପଢ଼ିବା ସହ ପରିବେଶ ସୁରକ୍ଷାରେ ଲାଗିଛନ୍ତି ମଧ୍ୟପ୍ରଦେଶର ବିଶାଲ ଶ୍ରୀବାସ୍ତବ। ସେ ଦ୍ୱିତୀୟ ବର୍ଷ ଇଞ୍ଜିନିୟରିଂ ଛାତ୍ର ଥିବାବେଳେ ୨୦୧୯ରେ ‘ପ୍ରୟାସ’ ଏନ୍‌ଜିଓର ଏକ ଟିମ୍‌ ସହ ଗ୍ବାଲିୟରର ମରୁଡ଼ିପ୍ରବଣ ଅଞ୍ଚଳକୁ ଯାଇ ସେଠାରେ ଲୋକଙ୍କ ଦୁର୍ଦ୍ଦଶା ଦେଖି ବୃକ୍ଷରୋପଣ ଓ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ସ୍ଥିର କରିଥିଲେ। ସେବେଠାରୁ ସେ ଗଛ ଲଗାଇବା ଓ ପାଣି ଟାଙ୍କି ଲାଗି ଅର୍ଥ ସଂଗ୍ରହ କରିବା ଭଳି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ସେ ମଧ୍ୟ ତିନିବର୍ଷ ମଧ୍ୟରେ ୩ ଲକ୍ଷ ଗଛ ଲଗାଇ ସାରିଲେଣି । ଜବଲପୁର, ଗ୍ବାଲିୟର ଏବଂ କାନ୍ତିରେ ଏହି ସବୁ ଗଛ ଲଗାଇବା ପରେ ଏବେ ଛତ୍ରପୁରରେ ୧ ଲକ୍ଷ ଗଛ ଲଗାଇବା ପାଇଁ ଯୋଜନା କରିଛନ୍ତି। ବିଶାଲ ବର୍ତ୍ତମାନ ଇଞ୍ଜିନିୟରିଂର ଶେଷ ବର୍ଷ ଛାତ୍ର। ତାଙ୍କର ଏଭଳି ପ୍ରେରଣାଦାୟକ କାର୍ଯ୍ୟ ଲାଗି ତାଙ୍କୁ ବହୁ କମ୍ପାନୀ ଚାକିରି ଅଫର୍‌ ଦେଇସାରିଲେଣି। ସେ ଏବେ ମହାରାଷ୍ଟ୍ରର ମରାଠାଓ୍ବାଡା ଏବଂ ଔରଙ୍ଗାବାଦରେ ‘ପ୍ରୟାସ’ ସହାୟତାରେ ତାଙ୍କ ବୃକ୍ଷରୋପଣ କାର୍ଯ୍ୟ ଚାଲୁରଖିଛନ୍ତି। ସେ ମିୟାଓ୍ବାକି ପଦ୍ଧତିରେ ବୃକ୍ଷରୋପଣ କରୁଛନ୍ତି, ଯେଉଁଥିରେ କମ୍‌ ସମୟରେ ସୁନ୍ଦର ହେବ ବୋଲି କହିଛନ୍ତି । କଲେଜରେ ବିଶାଲ ଏକ ଗ୍ରୁପ ଗଠନ କରିଛନ୍ତି ଯେଉଁଥିରେ ସେମାନେ ଅର୍ଥ ଯୋଗାଡ଼ କରି କୃଷକମାନଙ୍କୁ ସାହାଯ୍ୟ କରୁଛନ୍ତି। ୨୩ ବର୍ଷୀୟ ବିଶାଲ ଏହି କାର୍ଯ୍ୟରେ ସୀମିତ ନ ରହି ସେ ଗୁଆହାଟୀର ‘ଅକ୍‌ଶାର’ସଂସ୍ଥା ସାହାଯ୍ୟରେ ମଧ୍ୟପ୍ରଦେଶର ୧୦୦ଟି ସ୍କୁଲକୁ ଡିଜିଟାଇଜ କରିବାକୁ ବାହାରିଛନ୍ତି।