ଏଇ ଭାରତରେ

ଘର ବଗିଚାରେ ୧,୫୦୦ରୁ ଊର୍ଦ୍ଧ୍ୱ ଗଛ ବଢ଼ାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି କୋଚିର ବିଶ୍ୱମ୍ବରନ୍‌ ଏନ୍‌.କେ.। ସେ ଡିଆରଡିଓରେ ବୈଜ୍ଞାନିକ ଥିଲେ। ସେଥିରୁ ଅବସର ନେବା ପରେ ସେ ଏହିଭଳି ବଗିଚା କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ବଗିଚାର ଆକର୍ଷଣ ହେଉଛି ବିଭିନ୍ନ କିସମର ଅର୍ଚିଡ୍‌। ବିଶ୍ୱମ୍ବରନ୍‌ଙ୍କ ବୟସ ୬୭। ପ୍ରାୟ ୫ ହଜାର ବର୍ଗଫୁଟ ଜମିରେ ଥିବା ୧,୫୦୦ ଗଛ ମଧ୍ୟରୁ ବେଶି ଭାଗ ରହିଛି ଅର୍ଚିଡର। ବଗିଚାର ଆକର୍ଷଣ ହେଉଛି ୫୦ ପ୍ରକାରର ‘ଡ୍ୟାନ୍ସିଂ ଗର୍ଲ’ ଅର୍ଚିଡ୍‌। ସବୁଠୁ ବଡ଼ କଥା ହେଉଛି, ଅଧିକାଂଶ ଗଛ ସେ ରଖିଛନ୍ତି ହ୍ୟାଙ୍ଗିଙ୍ଗ୍‌ ପଟ୍‌ରେ। ସେ ଅର୍ଚିଡ କିସମ ଦେଶ ବିଦେଶରୁ ସଂଗ୍ରହ କରିଛନ୍ତି। ବଗିଚାରେ ଥିବା ସମସ୍ତ ଗଛରେ ସେ ଜୈବିକ ସାର ପ୍ରୟୋଗ କରିବା ସହ ନିମ୍ବ, ଗୋବର ଓ ଗୋମୂତ୍ରରୁ ପ୍ରସ୍ତୁତ କୀଟନାଶକ ପ୍ରୟୋଗ କରୁଛନ୍ତି। ଅର୍ଚିଡ୍‌ ସହ ସେ ବିଭିନ୍ନ ପରିବା ଚାଷ କରୁଛନ୍ତି। ନୀଳ ରଙ୍ଗର ଲଙ୍କା, ବାଇଗଣୀ ରଙ୍ଗର ଭେଣ୍ଡି ବି ଫଳାଉଛନ୍ତି। ଏହା ବ୍ୟତୀତ ଲାଉ, ବାଇଗଣ, ଛଚିନ୍ଦ୍ରା, ପୋଇ, ଅମୃତଭଣ୍ଡା, କଦଳୀ ଓ ପିଜୁଳି ସେ ଉତ୍ପାଦନ କରୁଛନ୍ତି। ତାଙ୍କ ପରିବାର କୃଷି ଉପରେ ନିର୍ଭରଶୀଳ ଥିଲେ ଓ ପିଲାବେଳୁ କୃଷି ପ୍ରତି ଥିବା ଦୁର୍ବଳତା ହିଁ ତାଙ୍କୁ ଅବସର ପରେ ଏଭଳି ଏକ ବଗିଚା କରିବାକୁ ପ୍ରେରିତ କରିଥିଲା ବୋଲି କହନ୍ତି ବିଶ୍ୱମ୍ବରନ୍‌। କମ୍‌ ଜାଗାରେ କିଭଳି ଅଧିକ ଗଛ ଲଗାଇ ବଗିଚା କରାଯାଇପାରିବ ସେ ସମ୍ପର୍କରେ ସେ ଲୋକମାନଙ୍କୁ ଉପାୟ ବତାଉଛନ୍ତି। ଲୋକମାନଙ୍କୁ ମଞ୍ଜି ଓ ଗଛ ଦେଇ ଏଥିପାଇଁ ଉତ୍ସାହିତ କରୁଛନ୍ତି।