ଏଇ ଭାରତରେ

ଗୁଜରାଟର ମହେନ୍ଦ୍ରସିଂ ଜଲା ଜଣେ ଦୃଷ୍ଟିବାଧିତ ହେଲେ ବି ଅନ୍ୟମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ। ପ୍ରତିବର୍ଷ ବର୍ଷାଋତୁ ଆସିଲେ ସେ ତାଙ୍କ କାମରେ ଲାଗିଯାଆନ୍ତି ଓ ୧ ଲକ୍ଷ ଲିଟର ବର୍ଷାଜଳ ଅମଳ ବା ସଂରକ୍ଷଣକରି ବ୍ୟବହାର କରୁଛନ୍ତି। ଏହି କାର୍ଯ୍ୟ ସେ ୧୦ ହେଲା କରିଆସୁଛନ୍ତି। ୧୯୯୨ରେ ଏକ ଭଲିବଲ ମ୍ୟାଚ୍‌ ଖେଳୁଥିବା ସମୟରେ ଏକ ଶଟ୍‌ ତାଙ୍କ ରେଟିନା ଦୁଇଟିକୁ ଆଘାତ ଦେବା ପରେ ସେ ୯୦ ପ୍ରତିଶତ ଦୃଷ୍ଟିଶକ୍ତି ହରାଇଥିଲେ। ବହୁ ଚିକିତ୍ସା ପରେ ମଧ୍ୟ ଆଉ ତାଙ୍କ ଦୃଷ୍ଟିଶକ୍ତି ଫେରିପାଇଲେ ନାହିଁ। ଏବେ ତାଙ୍କ ବୟସ ୬୦। ବର୍ଷାଜଳ ସଂରକ୍ଷଣ କାର୍ଯ୍ୟରେ ତାଙ୍କ ଭାଇ, ପୁଅ ଓ ପୁତୁରା ସହଯୋଗ କରୁଛନ୍ତି। ସେ ବଡ଼ ବଡ଼ ଟାଙ୍କିରେ ଏହି ଜଳ ସଂରକ୍ଷଣକରି ରଖୁଛନ୍ତି। ଘରର ପ୍ରଥମ ମହଲା, ଦ୍ୱିତୀୟ ମହଲା ଏବଂ ଅଗଣାରେ ପାଣିଟାଙ୍କି ଫିଟ୍‌ କରିଛନ୍ତି ଓ ଏଥିରେ ଫିଲ୍‌ଟର ବ୍ୟବସ୍ଥା କରିଛନ୍ତି, ଯାହାଦ୍ୱାରା ଜଳ ସ୍ବଚ୍ଛ ରହୁଛି । ଲୁଗାପଟା ଓ ବାସନ ସଫା କରିବା, ଗଛରେ ପାଣି ଦେବାରେ ଏହା ବ୍ୟବହାର କରାଯାଉଛି। ପାନୀୟ ଜଳ ଓ ପରିମଳ ବିଭାଗ ତରଫରୁ ତାଙ୍କୁ ‘ଓ୍ବାଟର ହିରୋ’ ଉପାଧି ପ୍ରଦାନ କରାଯାଇଛିି ଓ ୧୦ ହଜାର ଟଙ୍କା ପୁରସ୍କାର ମଧ୍ୟ ଦିଆଯାଇଛି। ଆମେ ଯଦି ଜଳ ସଂରକ୍ଷଣ ନ କରିବା ତେବେ ପର ପିଢ଼ିଙ୍କୁ ପାଣି ବଦଳରେ ଲୁହ ପିଇ ବଞ୍ଚିବାକୁ ପଡ଼ିବ ବୋଲି କହନ୍ତି ମହେନ୍ଦ୍ରସିଂ।