ଏଇ ଭାରତରେ

ଅଭାବ ଅନଟନର ସମୟକୁ ଏବେ ବି ଭୁଲି ପାରିନାହାନ୍ତି ଆଇଏଏସ୍‌ ଅଫିସର ରମେଶ ଘୋଲାପ। ମହାରାଷ୍ଟ୍ର ସୋଲାପୁର ଜିଲାର ମହାଗାଁରେ କଟିଥିଲା ତାଙ୍କ ପିଲାଦିନ। ବାପାଙ୍କୁ କମ୍‌ ବୟସରେ ହରାଇବା ପରେ ସେ ଓ ତାଙ୍କ ଭାଇମାନେ ମା’ଙ୍କ ସହ ଚୁଡ଼ି ବିକ୍ରିକରି ପରିବାର ଚଳାଇବା ସହ ପାଠ ପଢ଼ୁଥିଲେ। ପରେ ରମେଶ ଆଇଏଏସ୍‌ ପାଇ ଏବେ କୋଡେର୍ମାର (ଝାଡ଼ଖଣ୍ଡ) ଡେପୁଟି କମିଶନର୍‌ ଭାବେ କାର୍ଯ୍ୟରତ। ହେଲେ ସେ ସାମାଜିକ ସ୍ତରରେ ଗରିବ ପିଲାଙ୍କ ଅଭାବକୁ ଠିକ୍‌ ଭାବେ ଚିହ୍ନିପାରିଛନ୍ତି। ଏଭଳି ପିଲାମାନେ ଯେଭଳି ଶିକ୍ଷାରୁ ବଞ୍ଚିତ ନ ହେବେ ସେଥିପାଇଁ ସେ ଉଦ୍ୟମ କରୁଛନ୍ତି। ପରିବାର ପାଇଁ ବାଧ୍ୟବାଧକତାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ପିଲାମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ଥଇଥାନ କରୁଛନ୍ତି। ଏବେ ସୁଦ୍ଧା ୩୫ ଜଣ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କୁ ସ୍କୁଲ ପଠାଇ ପାରିଛନ୍ତି। ବିଶେଷକରି ହୋଟେଲରେ କାମ କରୁଥିବା ପିଲାମାନଙ୍କୁ ସେ ଉଦ୍ଧାର କରିଛନ୍ତି। କେବଳ ଏତିକି ନୁହେଁ ଉଦ୍ଧାର କରିବା ପରେ ଜଣେ ଅନାଥ ଝିଅର ଅଭିଭାବକ ଭାବେ ତାଙ୍କ ନାଁ ସ୍କୁଲ ରେକର୍ଡରେ ଉଲ୍ଲେଖ କରିଛନ୍ତି। ଅଧିକାଂଶ ପିଲାଙ୍କୁ ସେ ରେସିଡେନ୍ସିଆଲ୍‌ ସ୍କୁଲରେ ରଖୁଛନ୍ତି। ଅନେକ ସମୟରେ ପିଲାମାନଙ୍କ ଆବଶ୍ୟକତା ରମେଶ ଓ ତାଙ୍କ ସହ କର୍ମଚାରୀମାନେ ବହନ କରୁଛନ୍ତି।