ଏଇ ଭାରତରେ

ଦେଶରେ ଲୋକମାନେ ଦେଶୀ ପରିବା ଏବଂ ଫଳର ସ୍ବାଦ କିଭଳି ପାଇପାରିବେ ସେଥିପାଇଁ କେଦାର ସୈନିଙ୍କ ପ୍ରଚେଷ୍ଟା ଅତ୍ୟନ୍ତ ପ୍ରଶଂସନୀୟ। ସେ ଦେଶର ବିଭିନ୍ନ ସ୍ଥାନରେ ମାଗଣାରେ ଦେଶୀ ବିହନ ପହଞ୍ଚାଉଛନ୍ତି, ଏଥିପାଇଁ କେବଳ ପୋଷ୍ଟାଲ ଖର୍ଚ୍ଚ ହିଁ ଦେବାକୁ ପଡ଼ୁଛି। ଏବେ ସୁଦ୍ଧା ସେ ୧୭ ରାଜ୍ୟର ଅନେକ ହଜାର କୃଷକଙ୍କ ନିକଟରେ ଦେଶୀ ବିହନ ପହଞ୍ଚାଇସାରିଲେଣି। ମଧ୍ୟପ୍ରଦେଶର ଗୁନା ନିବାସୀ କେଦାର ୨୦୧୩ରୁ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି। କୌଣସି ବ୍ୟବସାୟ ଲକ୍ଷ୍ୟରେ ନୁହେଁ, ବରଂ ଦେଶରେ ଦେଶୀ କିସମର ଫଳ ଓ ପରିବା ଚାଷକୁ ବଞ୍ଚାଇ ରଖିବା ଲାଗି ଏହି କାର୍ଯ୍ୟ କରୁଛନ୍ତି ବୋଲି କହନ୍ତି ୪୪ ବର୍ଷୀୟ କେଦାର। କେଦାରଙ୍କ ଜନ୍ମ କୃଷକ ପରିବାରରେ ହୋଇଥିବାରୁ ସେ ଏହି କାର୍ଯ୍ୟ ପ୍ରତି ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ଆକୃଷ୍ଟ ହୋଇଥିଲେ। ସେତେବେଳେ ଟଙ୍କିକିଆ ଦେଶୀ ମଞ୍ଜି ପ୍ୟାକେଟ କରି ହାଟରେ ବିକ୍ରି କରୁଥିଲେ ଓ ପରେ ଏହା ତାଙ୍କ ନିଶା ପାଲଟିଗଲା। ଏବେ ତାଙ୍କ ପାଖରେ ବାଇଗଣ, ଗହମ, କାକୁଡ଼ି ସମେତ ପ୍ରାୟ ୧୪୦ ପ୍ରକାର ବିହନ ରହିଛି।