ଏଇ ଭାରତରେ

ଧର୍ମ ଅପେକ୍ଷା ମାନବିକତା ଅଧିକ ଗୁରୁତ୍ୱପୂର୍ଣ୍ଣ। ବିହାର ରାଜାବଜାରର ସାବନପୁରାରେ ଏକ ମୁସଲମାନ ପରିବାର ମାନବିକତାର ପରିଚୟ ଦେବା ସହ ଭାଇଚାରା ଏବଂ ସୌହାର୍ଦ୍ଦ୍ୟର ଉଦାହରଣ ସୃଷ୍ଟି କରିଛି। ପରିବାରର ସଦସ୍ୟମାନେ ରାମଦେବ ଶାହା ନାମକ ଜଣେ ହିନ୍ଦୁ ବୃଦ୍ଧଙ୍କ କୋକେଇକୁ କାନ୍ଧେଇ ନେଇ ଶେଷ ରୀତିନୀତି ସମ୍ପନ୍ନ କରିଛନ୍ତି। ରାମଦେବ ୨୫ ବର୍ଷ ପୂର୍ବେ ସାବନପୁରାରେ ଅରମାନ ନାମକ ଜଣେ ମୁସଲମାନଙ୍କ ଦୋକାନରେ ଆସି ପହଞ୍ଚିଥିଲେ। ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ରାମଦେବଙ୍କ ପରିବାରରେ କେହି ନ ଥିଲେ। ଅରମାନ ଦୟା ଦେଖାଇ ତାଙ୍କୁ ନିଜ ଦୋକାନରେ କାମ କରିବା ପାଇଁ ରଖିଥିଲେ। ସେ ପାଠପଢ଼ିଥିବାରୁ ଦୋକାନର ହିସାବ ରଖିବା କାମ କରୁଥିଲେ। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାମଦେବ ଅରମାନଙ୍କ ପରିବାର ସଦସ୍ୟ ଭଳି ରହିଆସୁଥିଲେ। ଗତ ଶୁକ୍ରବାର ୭୫ ବର୍ଷୀୟ ରାମଦେବଙ୍କ ଦେହାନ୍ତ ଘଟିଲା। ଅରମାନଙ୍କ ପରିବାର ଏବଂ ଆଖପାଖର ମୁସଲମାନ ସମ୍ପ୍ରଦାୟର ଲୋକେ ସହଯୋଗକରି ରାମଦେବଙ୍କ ଅନ୍ତିମ ସଂସ୍କାର ପାଇଁ ଅଣ୍ଟା ଭିଡ଼ିଥିଲେ। ସେମାନେ ରାମଦେବଙ୍କ ମୃତଦେହକୁ କାନ୍ଧେଇ ଶ୍ମଶାନକୁ ନେଇଥିଲେ। ପରେ ହିନ୍ଦୁ ରୀତିନୀତି ଅନୁଯାୟୀ ଅନ୍ତିମ ସଂସ୍କାର କରାଯାଇଥିଲା। ରାମଦେବଙ୍କ ମୃତ୍ୟୁରେ ଅରମାନଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।