ଏଇ ଭାରତରେ

ଆଇଆଇଟି,ମୁମ୍ବାଇର ୨ ପୁରାତନ ଛାତ୍ର ନୀତୀଶ ପାରିଖ ଏବଂ ରାଜକୁମାର କ୍ୱେଟ ଏଭଳି ସାଇକେଲ ନିର୍ମାଣ କରିଛନ୍ତି ଯେ, ତାହାକୁ ଟ୍ରଲି ବ୍ୟାଗ୍‌ ଭଳି ଫୋଲ୍ଡିଂକରି ନେଇହେବ। କେବଳ ଏତିକି ନୁହେଁ, ଏହାକୁ ମଧ୍ୟ ଇଲେକ୍‌ଟ୍ରିକ୍‌ ବାଇକ୍‌ ଭାବେ ବ୍ୟବହାର କରାଯାଇପାରିବ। ଏହାର ଆକାର ବଜାରରେ ଉପଲବ୍ଧ ଛୋଟ ସାଇକେଲ ଭଳି। ସାଇକେଲ ନିର୍ମାଣ କରିବା ଲାଗି ଏହି ଦୁଇ ବନ୍ଧୁଙ୍କୁ ୨ ବର୍ଷ ଲାଗିଯାଇଥିଲା। ରାଜକୁମାର ଟ୍ରାନ୍ସପୋର୍ଟେଶନ ଡିଜାଇନରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଥିବା ବେଳେ ନୀତୀଶ ଜଣେ ମେକାନିକାଲ ଇଞ୍ଜିନିୟର। ନୀତୀଶ କହନ୍ତି, ସେମାନେ ବାହାରକୁ ସାଇକେଲ ନେଲେ ଲୋକମାନେ ଏହାକୁ ଏକ ସାମାନ୍ୟ ସାଇକେଲ ମନେକରନ୍ତି, କିନ୍ତୁ ଫୋଲ୍ଡିଂ କରିବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏହି ସାଇକେଲକୁ ତିନୋଟି ଉପାୟରେ ଚଲାଇ ହେଉଛି। ପ୍ରଥମରେ ପ୍ୟାଡେଲରେ ଚଳାଇହେବ। ଦ୍ୱିତୀୟରେ ହାଇବ୍ରିଡ୍‌ ମୋଡ୍‌, ଯେଉଁଥିରେ ମୋଟର ଓ ପ୍ୟାଡେଲ ଦୁଇଟିର ଉପଯୋଗ ହେବ। ତୃତୀୟରେ ପୁଲ୍‌ ମୋଟର ମୋଡ୍‌, ଯେଉଁଥିରେ ସାଇକେଲକୁ ଏକ ବାଇକକୁ ବଦଳାଯାଇପାରିବ। ଏଥିରେ ଥିବା ବ୍ୟାଟେରିକୁ ସହଜରେ ବାହାର କରାଯାଇପାରୁଛି। ଉକ୍ତ ସାଇକେଲକୁ ହାଇଦ୍ରାବାଦରେ ବ୍ୟବସାୟିକ ଭିତ୍ତିରେ ନିର୍ମାଣ କରାଯାଇ ସେପ୍ଟେମ୍ବର ସୁଦ୍ଧା ବଜାରରେ ଉପଲବ୍ଧ କରାଯିବା ଯୋଜନା ରହିଛି ବୋଲି କହନ୍ତି ରାଜକୁମାର।