ଏଇ ଭାରତରେ

ଅବସର ପରେ ଲୋକେ ଆରାମରେ ଜୀବନ ଜିଇବା ଲାଗି ସ୍ବପ୍ନ ଦେଖୁଥିବାବେଳେ ଆୟକର ଅଧିକାରୀ ଆର୍‌.କେ. ପାଲିଓ୍ବାଲଙ୍କ ଜଣେ କର୍ମଯାଗୀ ଭାବେ ପରିଚୟ ସୃଷ୍ଟି କରିଛନ୍ତି। ଅବସର ପରେ ସେ ୨୦ ଏକର ଜମିରେ କମ୍ୟୁନିଟି ଫାର୍ମିଂ ଆରମ୍ଭ କରି ଜୈବିକ କୃଷିକୁ ପ୍ରୋତ୍ସାହିତ କରୁଛନ୍ତି। ବର୍ତ୍ତମାନ ଏହି ଚାଷରେ ତାଙ୍କ ସହ ୮ ଜଣ ଅବସରପ୍ରାପ୍ତ ଲୋକ ସାମିଲ ହୋଇଛନ୍ତି। ଭୋପାଳଠାରୁ ୪୦ କି.ମି. ଦୂରରେ ଥିବା ପାଲିଓ୍ବାଲଙ୍କ ଫାର୍ମରେ ସବୁ ପ୍ରକାର ପରିବା ସହ ମସଲା, ଫଳ ଆଦି ଜୈବିକ ପଦ୍ଧତିରେ ଉତ୍ପାଦନ କରାଯାଉଛି। ସେମାନେ ଗୋ ପାଳନ ମଧ୍ୟ କରୁଛନ୍ତି। ଏମାନଙ୍କ ପରିବାରର ସବୁ ଆବଶ୍ୟକତା ଏଥିରେ ପୂରଣ ହେବା ପରେ ବଳକା ପରିବା ଓ ଅନ୍ୟ ଉତ୍ପାଦକୁ ସେମାନେ ବିକ୍ରି କରୁଛନ୍ତି। ପାଲିଓ୍ବାଲ ମଧ୍ୟ ବିଭିନ୍ନ ରାଜ୍ୟର ୫ଟି ଗାଁକୁ ଆଦର୍ଶ ଗାଁ ଭାବେ ପରିଚିତି ଦେଇଛନ୍ତି। ଏହି କାର୍ଯ୍ୟ ସେ ଚାକିରିରେ ଥିବା ସମୟରେ ଆରମ୍ଭ କରିଥିଲେ। ଛୁଟିଦିନରେ ଗାଁଗୁଡ଼ିକରେ ରହି ସେ କାମ କରୁଥିଲେ। ଗୁଜରାଟର ବଲ୍‌ସାଇର ଖୋବା, ଆଗ୍ରା (ଉତ୍ତରପ୍ରଦେଶ) ରଟୋତି, ହୋସଙ୍ଗାବାଦ (ମଧ୍ୟପ୍ରଦେଶ)ର ଛେଡ଼କା ସହ ୫ଟି ଗାଁରେ ଶିକ୍ଷା ପାଇଁ ଲାଇବ୍ରେରି, ମହିଳାଙ୍କ ପାଇଁ ଗ୍ରାମ୍ୟ ଉଦ୍ୟୋଗ, ଶୁଦ୍ଧ ପାନୀୟ ଜଳ ଉପରେ କାର୍ଯ୍ୟ କରି ସେଗୁଡ଼ିକୁ ଆଦର୍ଶ ଗ୍ରାମର ମାନ୍ୟତା ଦେବାରେ ସେ ପ୍ରମୁଖ ଭୂମିକା ନେଇଛନ୍ତି।