ଏଇ ଭାରତରେ

ପିଲାମାନେ ମାଟ୍ରିକ୍‌ ପାସ୍‌ କଲେ ଖୁସି ହୁଅନ୍ତି। ବୟସ୍କମାନେ ପାସ୍‌ କଲେ ତ ତା’ଠାରୁ ଅଧିକ ଖୁସି ହେବା ସ୍ବାଭାବିକ। ହେଲେ ୨୮ ବର୍ଷ ତଳୁ ମାଟ୍ରିକ୍‌ ପାସ୍‌ ସ୍ବପ୍ନ ଦେଖୁଥିବା ଜଣେ ୫୩ ବର୍ଷ ବୟସ୍କା ମହିଳା ମାଟ୍ରିକ୍‌ ପାସ୍‌ ପରେ କେତେ ଯେ ଖୁସି ହୋଇଥିବେ ସେ କଥା ଭାବନ୍ତୁ ତ। ଏମିତି ଜଣେ ମହିଳା ରୁହନ୍ତି ତ୍ରିପୁରାର ଅଗରତାଲାରେ। ବଡ଼କଥା ହେଉଛି, ଶିଲାରାନୀ ନାମ୍ନୀ ଏହି ମହିଳା ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ତାଙ୍କ ଦୁଇଝିଅ ଦ୍ୱାଦଶ ପାସ୍‌ କରିଛନ୍ତି। ବଡ଼ଝିଅ ରାଜଶ୍ରୀ ବିବାହିତା। ତାଙ୍କ ବୟସ ୨୬। ସେ ଅଧାରୁ ପାଠ ଛାଡ଼ିଦେଇଥିଲେ। ତେବେ ରାଜଶ୍ରୀ ଓ ତାଙ୍କ ସାନଭଉଣୀ ଜୟଶ୍ରୀ ଦ୍ୱାଦଶ ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇ ମା’ଙ୍କୁ ମାଟ୍ରିକ୍‌ ପରୀକ୍ଷା ଦେବାଲାଗି ପ୍ରେରିତ କରିଥିଲେ। ପରେ ମା’ ଶିଲା ଝିଅମାନଙ୍କ କଥାରଖି ପାଠପଢ଼ି ପରୀକ୍ଷା ଦେଇ ପାସ୍‌ କରିଛନ୍ତି। ଶିଲା ୧୯୯୪ରେ ପରୀକ୍ଷା ଦେବାକୁ ଚାହିଁଥିଲେ ବି ସେତେବେଳେ ତାଙ୍କ ପିତାଙ୍କ ଦେହାନ୍ତ ହେବାରୁ ତାହାକୁ ସେ ସ୍ଥଗିତ ରଖିଥିଲେ। ପୁନର୍ବାର ୨୦୧୨ରେ ମାଟ୍ରିକ ପରୀକ୍ଷା ଦେବାକୁ ମନ ବଳାଇଥିଲେ, ହେଲେ ସେତେବେଳେ ସ୍ବାମୀଙ୍କ ପରଲୋକ ଘଟିଥିଲା। ଯାହାହେଉ ଶେଷରେ ଦୁଇଝିଅଙ୍କ ସହ ପାସ୍‌ର ସ୍ବାଦ ପାଇବା ପରେ ସେ କୁହନ୍ତି, ଲକ୍ଷ୍ୟ ଦୃଢ଼ ରହିଲେ ସଫଳତା ନିଶ୍ଚୟ ମିଳିବ। ଶିଲା ଅଗରତାଲା ମ୍ୟୁନିସିପାଲ କର୍ପୋରେଶନରେ କାର୍ଯ୍ୟ କରୁଛନ୍ତି ୧୮ ବର୍ଷ ବୟସରୁ। ତେବେ ଝିଅମାନଙ୍କ ସହ ତାଙ୍କ ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି।