ଏଇ ଭାରତରେ

ଗୁଜରାଟର ନବସାରୀ ଜିଲା ଡୁଙ୍ଗରୀ ଗାଁର ଘରଟି ଏକ ଫାର୍ମ ହାଉସ୍‌ରୁ କମ୍‌ ନୁହେଁ। ଏହି ଘରର ମାଲିକ ହେଉଛନ୍ତି ସୁରେଶ ଚନ୍ଦ୍ର ପଟେଲ। ସୁରେଶଙ୍କ ବୟସ ଏବେ ୭୦। ଇଞ୍ଜିନିୟର ଭାବେ ୨୦୧୧ରେ ଅବସର ନେବା ପରେ ସେ ଘରେ କୁଣ୍ଡରେ ଗଛ ଲଗାଇବା ଆରମ୍ଭ କରିଥିଲେ। ଏବେ ତାଙ୍କ ଘର ଉପର, ତଳ ଓ ଚାରିପାଖରେ ୮,୦୦୦ରୁ ଅଧିକ ଗଛ ଅଛି। ଏଥିରେ ବିଭିନ୍ନ ପ୍ରକାର ଫୁଲ, ଫଳ, ପରିବା, ଔଷଧୀୟ ଗଛ ସହ ୫୦୦ ପ୍ରକାରେ ଅଡେନିୟମ ରହିଛି। ତାଙ୍କ ସ୍ତ୍ରୀ ହର୍ଷା ଓ ଝିଅ ଡା. ବିନିତା ପଟେଲ ଏହି ସବୁ ଗଛର ଯତ୍ନ ନେବାରେ ସୁରେଶଙ୍କୁ ସହଯୋଗ କରୁଛନ୍ତି। ଜଣେ ଚାଷୀ ଘରର ପୁଅ ହୋଇଥିବାରୁ ସୁରେଶଙ୍କର କୃଷି ପ୍ରତି ରୁଚି ରହିଥିଲେ ମଧ୍ୟ ଶିକ୍ଷା ଓ ଚାକିରି କାରଣରୁ ତାହା ସମ୍ଭବ ହୋଇପାରି ନ ଥିଲା। ହେଲେ ଅବସର ନେବା ପରେ ଗାଁକୁ ଫେରି ୧୧ ବର୍ଷ ହେବ ଜଣେ ଚାଷୀ ଭାବେ ରହି ଢେର ଆନନ୍ଦ ପାଉଛନ୍ତି ବୋଲି କହନ୍ତି ସୁରେଶ।