ଏଇ ଭାରତରେ

ଏଥର ବର୍ଷସାରା ତାଜା ଆମ୍ବ ଖାଇବାକୁ ମିଳିବ। ଏହା ସମ୍ଭବ ହୋଇଛି ରାଜସ୍ଥାନ କୋଟାର ୫୫ ବର୍ଷୀୟ କୃଷକ ଶ୍ରୀକ୍ରିଷ୍ଣ ସୁମନଙ୍କ ଦ୍ୱାରା। ସୁମନ ନିଜସ୍ବ ଉଦ୍ୟମ ଓ ଗବେଷଣା ମାଧ୍ୟମରେ ନୂଆ କିସମର ଆମ୍ବ ଉତାରିପାରିଛନ୍ତି। ଏହି ଆମ୍ବ ବର୍ଷକୁ ତିନଥର ଫଳୁଛି। ଏକାଦଶ ଯାଏ ପଢିଥିବା ସୁମନ ୧୯୯୮ରେ ଆମ୍ବ ଉପରେ ଗବେଷଣା ଆରମ୍ଭ କରି ୧୦ ବର୍ଷ ପରେ ‘ସଦାବାହାର ଆମ୍ବ’ ଗଛ ଉତାରିବାରେ ସକ୍ଷମ ହୋଇଥିଲେ। ପରେ ସୁମନ କଲମୀ ପଦ୍ଧତିରେ ଅଧିକ ଗଛ ସୃଷ୍ଟି କରି ଚାଷ ଆରମ୍ଭ କରିଥିଲେ। ଏହି ଆମ୍ବ ଉତାରିବାରେ ସଫଳ ହେବା ପରେ ରାଜସ୍ଥାନର ଉଦ୍ୟାନ ବିଭାଗ ବୈଜ୍ଞାନିକମାନଙ୍କ ଦ୍ୱାରା ଅନୁଧ୍ୟାନ କରାଯାଇଥିଲା ଓ ସମୁନଙ୍କ କାର୍ଯ୍ୟରେ ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲା। ରାଜସ୍ଥାନର କୃଷକ ଅଧିକାର ସଂରକ୍ଷଣ ପ୍ରାଧିକରଣ ଏହି କିସମ ଆମ୍ବକୁ ସଦାବାହାର ନାମରେ ପେଣ୍ଟେଣ୍ଟ କରି ଏହାର ସବୁ ଶ୍ରେୟ ଓ ଚାଷର ଅଧିକାର ସୁମନଙ୍କୁ ଦେଇଥିଲା। ପରେ ସୁମନ ଚାଷ କରି ବର୍ଷକୁ ଆମ୍ବରୁ ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏହାବାଦ୍‌ ସେ ଚାରା କରି ବିକ୍ରି କରୁଛନ୍ତି। ମୋଟରେ ଆମ୍ବ ଓ ଚାରାରୁ ସେ ଗତ ପାଞ୍ଚ ବର୍ଷରେ ୧ କୋଟି ଟଙ୍କାରୁ ଅଧିକ ପାଇଛନ୍ତି। ଏହି ଗଛ ଅତି ବେଶିରେ ୧୫ ଫୁଟ୍‌ ବଢୁଛି। ବର୍ଷକୁ ତିନିଥରରେ ମୋଟ ୧୦୦ରୁ ୧୫୦ କେଜି ଆମ୍ବ ଫଳୁଛି। ପ୍ରତିଟି ଆମ୍ବ ୨୫୦ରୁ ୩୦୦ ଗ୍ରାମ୍‌ ହେଉଛି।