ପଦାକୁ ଆସିଛି ବି.କମ୍. ଛାତ୍ରୀ ଆଞ୍ଚଳ ସିଂଙ୍କ କରିସ୍ମା। ଉତ୍ତରପ୍ରଦେଶର ବାରାଣସୀରେ ରହୁଥିବା ଆଞ୍ଚଳ ଏଭଳି ଏକ ସୋଲାର କୁଲିଂ ବେଲ୍ଟ ନିର୍ମାଣ କରିଛନ୍ତି, ଯାହା ପାଣି ବୋତଲକୁ ଥଣ୍ଡା କରିପାରୁଛି। ଏହି ବେଲ୍ଟରେ ଏକ ଫ୍ୟାନ, ସୋଲାର ଓ ଥର୍ମାଲ ପ୍ଲେଟ ଲଗାଯାଇଛି। ଏହି ବେଲ୍ଟ ସୌର ଶକ୍ତିରେ ଚାଲୁଛି ଓ ପାଣିକୁ ଥଣ୍ଡା କରିପାରୁଛି। ଆଞ୍ଚଳଙ୍କ ପିତା ଏକ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରନ୍ତି। ଖରାଦିନେ ଡ୍ୟୁଟି ସମୟରେ ସେ କିଭଳି ଥଣ୍ଡା ପାଣି ପିଇ ପାରିବେ ସେ ବିଷୟ ଚିନ୍ତା କରି ଏଭଳି ଉଦ୍ଭାବନ କରିବାକୁ ମନ ବଳାଇଥିଲେ। ଏହି ପ୍ରକାର କୁଲର୍ ନିର୍ମାଣ କରିବା ଲାଗି ୪ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଆଞ୍ଚଳଙ୍କ ଉକ୍ତ ଉଦ୍ଭାବନରେ ଅନୁପ୍ରାଣିତ ହୋଇ ମିରଟର ଏକ କଲେଜ ତାଙ୍କୁ ସହଯୋଗ କରିବା ଲାଗି ନିଷ୍ପତ୍ତି ନେଇଛି। ତେବେ ତାଙ୍କୁ ସହଯୋଗ ମିଳିଲେ ସେ ଆଉ କିଛି ଉଦ୍ଭାବନ କରିପାରିବେ ବୋଲି କହିଛନ୍ତି ଆଞ୍ଚଳ।