ଏଇ ଭାରତରେ

ସରକାର ପ୍ଲାଷ୍ଟିକମୁକ୍ତ ପରିବେଶ ଲାଗି ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିଥିବାବେଳେ କବିତା ରଞ୍ଜନଙ୍କ ଦ୍ୱାରା ଆବିଷ୍କୃତ ବାୟୋଡିଗ୍ରେଡେବଲ୍‌ ପ୍ଲାଷ୍ଟିକ ବା ପରିବେଶ ଉପଯୋଗୀ ବିଘଟନଯୋଗ୍ୟ ପ୍ଲାଷ୍ଟିକ ନିଶ୍ଚିତ ଭାବେ ଏକ ଶୁଭ ଖବର। ତାମିଲନାଡୁ କୋଏମ୍ବାଟୁରସ୍ଥିତ ତାଙ୍କ ବାପାଙ୍କ ‘ଗ୍ରୀନ୍‌ ପ୍ଲାଷ୍ଟ କମ୍ପାନୀ’ରେ ସେ ଏହି ପ୍ଲାଷ୍ଟିକ ପ୍ରସ୍ତୁତ କରିଛନ୍ତି। କବିତା ଉକ୍ତ କମ୍ପାନୀର ସହ ସଂସ୍ଥାପକ ରହିଛନ୍ତି। ବିଘଟନ ଯୋଗ୍ୟ ପ୍ଲାଷ୍ଟିକ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବ୍ୟାଗ୍‌ର ବିକଳ୍ପ ହୋଇପାରିବ ବୋଲି କହନ୍ତି କବିତା। ଏହି ପ୍ଲାଷ୍ଟିକ ଆବିଷ୍କାର କରିବା ଲାଗି ତାଙ୍କୁ ଜାପାନ, ଜର୍ମାନୀ, ଇଣ୍ଡୋନେସିଆ, ମାଲେସିଆ ଏବଂ ଚାଇନା ଆଦି ଦେଶ ଯିବାକୁ ପଡ଼ିଛି। ବିଘଟନଯୋଗ୍ୟ ପ୍ଲାଷ୍ଟିକର ପରିବେଶ, ପ୍ରାଣୀ ଓ ଉଦ୍ଭିଦ ଉପରେ ବିପଦ ନାହିଁ। କବିତାଙ୍କ ଦ୍ୱାରା ଏହି ପ୍ଲାଷ୍ଟିକରୁ ପ୍ରସ୍ତୁତ ଗ୍ରୀନ୍‌ ପ୍ଲାଷ୍ଟବ୍ୟାଗ୍‌ ବିଘଟନ ସମୟରେ ମାଟିରେ କି ପାଣିରେ କୌଣସି ସୂକ୍ଷ୍ମ କଣିବା ଛାଡ଼େନାହିଁ। ଏହା ଉଷୁମ କିମ୍ବା ଥଣ୍ଡା ପାଣିରେ ସହଜରେ ଦ୍ରବୀଭୂତ ହୋଇପାରୁଛି। ଉକ୍ତ କ୍ୟାରି ବ୍ୟାଗ୍‌ ଦେଶରେ ବିକ୍ରି କରିବା ଲାଗି ସେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦରଖାସ୍ତ କରି ଏହାର ସବୁଜ ସଙ୍କେତକୁ ଅପେକ୍ଷା କରିଛନ୍ତି।