ଏଇ ଭାରତରେ

ଆମେ ଜାଣୁ ଯେ ପୁରୁଣାକାଳିଆ ବା ଭିଣ୍ଟେଜ କାର୍‌ କେବଳ ପ୍ରଦର୍ଶନୀ ପାଇଁ ଫିଟ୍‌। କିନ୍ତୁ ସେଭଳି କାର୍‌କୁ ବୈଦ୍ୟୁତିକ କାର୍‌ କରି ବେଶ୍‌ ନାଁ କମାଇଛନ୍ତି ମହାରାଷ୍ଟ୍ରର ଯୁବରାଜ ପାଓ୍ବାର। ସେ ପୁଣେର କାଶିଭାଇ ନାଭେଲେ କଲେଜ୍‌ ଅଫ୍‌ ଇଞ୍ଜିନିୟରିଂରେ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ କରୁଛନ୍ତି। ଅମରାବତୀ ଜିଲାର ନିମ୍ଭାରୀ ଗାଁର ୨୧ ବର୍ଷୀୟ ଯୁବରାଜ ଭିଣ୍ଟେଜ ବୈଦ୍ୟୁତିକ କାର୍‌ ତିଆରି କରିବା ପରେ ଏହା ଲାଗି ଅନେକ ଲକ୍ଷ ଟଙ୍କାର ଅର୍ଡର ମଧ୍ୟ ପାଇଛନ୍ତି। ଏହିସବୁ କାର୍‌ର ନାମ ରଖିଛନ୍ତି ‘ଯୁବରାଜ-୩.୦’। ତିନି ଘଣ୍ଟା ଚାର୍ଜ ହେଲେ ୧୨୦ କି.ମି. ଯାଉଛି ଓ ଏହି କାର୍‌ଗୁଡ଼ିକ ଲିଥିୟମ ବ୍ୟାଟେରି କିମ୍ବା ଲିଥିୟମ ଫେରୋ ଫସ୍‌ଫେଟ ବ୍ୟାଟେରିରେ ଚାଲୁଛି। ଯୁବରାଜ କହନ୍ତି, ଏହା ଅଢ଼େଇ ଲକ୍ଷରୁ ୩ ଲକ୍ଷ ପଚାଶ ହଜାର ଟଙ୍କାରେ ବିକ୍ରି କରାଯାଇପାରିବ। ୪ର୍ଥ ଶ୍ରେଣୀରେ ପଢୁଥିବା ସମୟରେ ସେ ପ୍ରଥମେ ଏକ ଫ୍ଲୋର ଓ୍ବାଶିଂ ମେଶିନ୍‌ ନିର୍ମାଣ କରିଥିଲେ। ତା’ ପରଠାରୁ ଆଉ ପଛକୁ ଫେରି ନାହାନ୍ତି ଯୁବରାଜ। ଏଯାବତ୍‌ ସେ ବିଭିନ୍ନ ପ୍ରକାର ଚାଷ ଯନ୍ତ୍ର, ବିହନ ବୁଣା ମେଶିନ, କାଠ ଲ୍ୟାମ୍ପ ସମେତ ୨୧ଟି ଉଦ୍ଭାବନ କରିସାରିଛନ୍ତି।