ଏଇ ଭାରତରେ

ଆସାମର ହାତତିଆରି ବାଉଁଶ ସାମଗ୍ର୍ରୀର ଆଦର ସାରା ଦେଶରେ କାହିଁରେ କ’ଣ। ସେଠାକାର ଲୋକେ ଏହାକୁ ଜୀବିକାର ମାଧ୍ୟମ କରିଆସିଛନ୍ତି। କିନ୍ତୁ ସମୟକ୍ରମେ ଯୁବପିଢ଼ି ସ୍ଥାନୀୟ କଳାକୁ ଛାଡ଼ି ଚାକିରି ଅନ୍ବେଷଣରେ ବାହାରକୁ ଚାଲିଯାଉଥିବାବେଳେ ସୌରଭ ନାଥ ଏହାକୁ ଦେଶ ବିଦେଶରେ ବେଶ୍‌ ଆଦୃତ କରିପାରିଛନ୍ତି। ସୌରଭଙ୍କ ବୟସ ୧୯। ସେ ରହନ୍ତି ଶିବସାଗର ଜିଲା ବୋକଜନ ଗାଁରେ। ସୌରଭ ପଢ଼ିବା ସହ ଏବେ ପାରମ୍ପରିକ ବାଉଁଶକଳାକୁ ଆପଣାଇ ଆଧୁନିକ ରୂପ ଦେଇ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କ ହାତ ତିଆରି ବାଉଁଶ କଲମ, କପ୍‌ , ଚାମଚ, ଫୋନ୍‌ଷ୍ଟାଣ୍ଡ, ସୋଫା, ଲ୍ୟାମ୍ପ, ସାଇକେଲ ଆଦିର ଚାହିଦା ଖୁବ୍‌ ବେଶି। ଏବେ ତାଙ୍କୁ ଏହିସବୁ ଜିନିଷ ପାଇଁ ଅଧିକ ଅର୍ଡର ମିଳିବାରେ ଲାଗିଛି। ତାଙ୍କର ଏକ ‘ସୌରଭ ବାମ୍ବୋ ଆର୍ଟ’ ୟୁଟ୍ୟୁବ୍‌ ଚ୍ୟାନେଲ ଅଛି, ଯେଉଁଥିରେ ସେ ଅନ୍ୟମାନଙ୍କୁ ବାଉଁଶ ତିଆରି ଜିନିଷ ନିର୍ମାଣ କରିବା କୌଶଳ ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ମାଟ୍ରିକ ପାସ୍‌ କରିବା ପରେ ସୌରଭ ପ୍ରଶିକ୍ଷଣ ନେଇ ପ୍ରଥମେ ବାଉଁଶ ସୋଫା ନିର୍ମାଣ କରୁଥିଲେ। ପରେ ସେ ନିଜ ଚେଷ୍ଟାରେ ଅନ୍ୟ ସବୁ ଜିନିଷ ତିଆରିି କରିବା ଆରମ୍ଭ କରିଥିଲେ। ସୌରଭ ତାଙ୍କ ଗାଁର କେତେଜଣ ଯୁବକଙ୍କୁ ଏହି କଳା ଶିକ୍ଷା ଦେଇ ସେମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରୁଛନ୍ତି।