ଏଇ ଭାରତରେ

ପେସାରେ ଡାକ୍ତର କିନ୍ତୁ ନିଶା ଜୈବିକ ଡ୍ରାଗନ୍‌ ଫ୍ରୁଟ ଚାଷ। ହାଇଦ୍ରାବାଦର ଡ.ଶ୍ରୀନିବାସ ରାଓ ମାଧବମ ଏହି ଚାଷ କରୁଛନ୍ତି। ଦୁଇଟି ବୃତ୍ତିକୁ ଏକସାଙ୍ଗରେ ନେଇ ଚାଲିବାରେ ତାଙ୍କର କୌଣସି ସମସ୍ୟା ହେଉନାହିଁ, ବରଂ ଗୋଟିଏ ଦିନରେ ଦୁଇଟି କାମ କରି ଖୁସି ରହୁଛନ୍ତି ବୋଲି କହନ୍ତି ୩୬ ବର୍ଷୀୟ ଡ.ମାଧବମ୍‌। ମେଡିସିନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ସକାଳ ୭ରୁ ୧୨ଟା ଯାଏ ମେଡିକାଲ ଡ୍ୟୁଟି କରିବା ପରେ ବାକିତକ ସମୟରେ ସେ କ୍ଷେତରେ କଟାଉଛନ୍ତି। ଏପରି କି ବିଳମ୍ବିତ ରାତିଯାଏ କ୍ଷେତରେ ରହୁଛନ୍ତି। ୨୦୧୬ରେ ସେ ଏହି ଚାଷ ଆରମ୍ଭ କରିଥିଲେ । ତେଲଙ୍ଗାନାର ସାଙ୍ଗାରେଡ୍ଡୀରେ ଥିବା ୩୦ ଏକର ଫାର୍ମରେ ଏବେ ସେ ୪୫ ପ୍ରକାର ଡ୍ରାଗନ୍‌ ଫ୍ରୁଟ ଚାଷ କରିଛନ୍ତି। ୬୦,୦୦୦ ଡ୍ରାଗନ ଫ୍ରୁଟ ଗଛ ଲଗାଇଛନ୍ତି ଓ ସେଥିରୁ ପାଖାପାଖି ୧୦୦ ଟନ୍‌ ଫଳ ପାଉଛନ୍ତି। ଏଥିରୁ ସେ ବାର୍ଷିକ ଦେଢ଼କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟବସାୟ କରୁଛନ୍ତି। ଏହି ଚାଷ ଲାଗି ଭିଏତ୍‌ନାମ, ତାଇଓ୍ବାନ, ଫିଲିପାଇନ୍ସ ସମେତ ୧୩ଟି ଦେଶକୁ ଯାଇଛନ୍ତି। ଭିଏତ୍‌ନାମରେ ପ୍ରଶିକ୍ଷଣ ନେଇ ଚାଷ ସମ୍ପର୍କିତ ଜ୍ଞାନ ହାସଲ କରିଛନ୍ତି। ସେ ମଧ୍ୟ ଏହା ଉପରେ ଗବେଷଣା କରିବା ସହ ଡ୍ରାଗନ୍‌ ଫ୍ରୁଟ ଚାଷର ବିକାଶ ପାଇଁ ଚେଷ୍ଟା କରୁଛନ୍ତି। କେବଳ ଏତିକି ନୁହେଁ, ମାଧବମ୍‌ ଦେଶର ବିଭିନ୍ନ ଅଞ୍ଚଳର ୫,୦୦୦ରୁ ଅଧିକ ଚାଷୀଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇସାରିଲେଣି। ଏକ ନର୍ସରି କରି ଚାଷୀମାନଙ୍କୁ ଚାରା ଯୋଗାଉଛନ୍ତି।