ଏଇ ଭାରତରେ

ବାଉଁଶକଳାର କରିସ୍ମା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ମୀନାକ୍ଷୀ ଓ୍ବାକେଙ୍କ ହସ୍ତକଳାରେ। ତାଙ୍କ ଦ୍ୱାରା ନିର୍ମିତ ବାଉଁଶ ରାଖୀର ଆଦର କାହିଁରେ କ’ଣ। ମୀନାକ୍ଷୀ ‘ବାମ୍ବୋ ଲେଡି’ ବା ‘ବାଉଁଶ ମହିଳା’ ଭାବେ ଜଣାଶୁଣା। ତାଙ୍କ ବୟସ ଏବେ ୨୯। ରହନ୍ତି ଚନ୍ଦ୍ରପୁରାରେ। ୪ ବର୍ଷ ପୂର୍ବେ ସେ ତାଙ୍କ ବିଜ୍‌ନେସ ‘ଅଭିସାର ଇନୋଭେଟିଭସ୍‌’ ଆରମ୍ଭକରି ତା’ ମାଧ୍ୟମରେ ବାଉଁଶର ପାଛିଆ, ଟ୍ରେ, ଗହଣା ଏବଂ ଲ୍ୟାମ୍ପ୍‌ ତିଆରି କରୁଛନ୍ତି। ଏଗୁଡ଼ିକ ୨୫ ଟଙ୍କାରୁ ଆରମ୍ଭକରି ୨,୫୦୦ ଟଙ୍କାରେ ବିକ୍ରି ହେଉଛି। ବାଉଁଶ ନିର୍ମିତ ଜିନିଷଗୁଡ଼ିକୁ ସେ ଦିଲ୍ଲୀ, ମୁମ୍ବାଇ ଏବଂ ପୁଣେରେ ବିକ୍ରି କରୁଛନ୍ତି। ମୀନାକ୍ଷୀ ବିବାହ ପରେ ବନ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ୭୦ ଦିନିଆ ପ୍ରଶିକ୍ଷଣ ନେବା ପରେ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୧୮ରେ ସେ ପ୍ରଥମେ ବାଉଁଶ ରାଖୀ ତିଆରି କରିଥିଲେ। କିନ୍ତୁ ସେଗୁଡ଼ିକ ବିକ୍ରିହୋଇ ନ ଥିଲା। ଗତ ବର୍ଷ ୧୦,୦୦୦ ବାଉଁଶ ରାଖୀ ବିକ୍ରିକରି ୩ ଲକ୍ଷ ଟଙ୍କା ଲାଭ ପାଇଥିଲେ। ଚଳିତ ବର୍ଷ ଏବେ ସୁଦ୍ଧା ସେ ୬,୦୦୦ ରାଖୀ ବିକ୍ରି କରିସାରିଲେଣି। ଏହି କାର୍ଯ୍ୟ ପାଇଁ ମୀନାକ୍ଷୀଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି। ସେ ମଧ୍ୟ ୨୦୦ ମହିଳାଙ୍କୁ ବାଉଁଶ କଳା ସମ୍ପର୍କରେ ପ୍ରଶିକ୍ଷଣ ଦେଇଛନ୍ତି।