ଜଣେ ବ୍ୟକ୍ତି ଜୀବିତ ଥାଇ ମଧ୍ୟ ସରକାରୀ କାଗଜପତ୍ରରେ ମୃତ ଘୋଷିତ ହେବା ଜାଣି ଆଶ୍ଚର୍ଯ୍ୟ ହେଉଥିବେ। ହେଲେ ଏହା ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ମୈନପୁରୀର ଜାଫରପୁର ଗାଁର ଉକ୍ତ ବ୍ୟକ୍ତିଙ୍କ ନାମ ଗଙ୍ଗା ସିଂ। ୮୦ ବର୍ଷୀୟ ଗଙ୍ଗାଙ୍କ ସଂସାର କହିଲେ ସ୍ତ୍ରୀ ହୋମଶ୍ରୀ ଏବଂ ଦୁଇ ପୁଅ। ସେ ଚାଷରୁ ଆୟ କରିବା ସହ ବୃଦ୍ଧାବୃଦ୍ଧ ପେନ୍ସନ ଏବଂ କିଷାନ ସମ୍ମାନ ନିଧି ଟଙ୍କାରେ ଚଳନ୍ତି। କିନ୍ତୁ ଜୁଲାଇ ୩ରେ ଯେତେବେଳେ ସେ ପେନ୍ସନ ଆଣିବା ପାଇଁ ବ୍ୟାଙ୍କରେ ପହଞ୍ଚିଥିଲେ, ସେତେବେଳେ ବ୍ୟାଙ୍କ କର୍ମଚାରୀ ଟଙ୍କା ଆସିବା ବନ୍ଦ ହୋଇଥିବା ସମ୍ପର୍କରେ ତାଙ୍କୁ କହିଥିଲେ। ଏହାର ସତ୍ୟାସତ୍ୟ ଜାଣିବା ଲାଗି ଗଙ୍ଗା ସାମାଜିକ କଲ୍ୟାଣ କାର୍ଯ୍ୟାଳୟକୁ ଗଲେ। ସେଠାକାର କର୍ମଚାରୀ କମ୍ପ୍ୟୁଟରରେ ଗଙ୍ଗାଙ୍କ ପାସ୍ବୁକ୍ ଏବଂ ଆଧାରକାର୍ଡ ନମ୍ବର ପ୍ରବେଶ କରାଇଥିଲେ ଓ ରେକର୍ଡରେ ସେ ମୃତ ବୋଲି ଜଣାପଡ଼ିିଲା। ସାମାଜିକ କଲ୍ୟାଣ ବିଭାଗ କର୍ମଚାରୀ ଏହି କାର୍ଯ୍ୟ ନଗର ପଞ୍ଚାୟତର ବୋଲି କହିଥିଲେ। ପରେ ଗଙ୍ଗା ନଗର ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ ଏବଂ ସେଠା କର୍ମଚାରୀ କହିଥିଲେ ଯେ, ଭୁଲ୍ରେ ମୃତକଙ୍କ ତାଲିକାରେ ତାଙ୍କ ନାମ ସ୍ଥାନ ପାଇଛି। ଏହାର ଏକ ମାସ ପରେ ମଧ୍ୟ ଗଙ୍ଗା ସିଂ ସରକାରୀ କାଗଜପତ୍ରରେ ମୃତ ହୋଇ ରହିଛନ୍ତି। ଗଙ୍ଗା ସବୁଠି ବିଫଳ ହେବା ପରେ ଏବେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିବେଦନ କରିଛନ୍ତି।