ଏଇ ଭାରତରେ

ଡ. ଶିଳ୍ପା କୁମାର। ବୟସ ୨୯। ଦିଲ୍ଲୀର ଏଲ୍‌ଏନ୍‌ଜେପି ହସ୍ପିଟାଲରେ ଚାକିରି ଛାଡ଼ି ହିମାଚଳ ପ୍ରଦେଶର ପାହାଡ଼ିଆ ଅଞ୍ଚଳରେ କାର୍ଯ୍ୟ କରିବାକୁ ବାହାରି ଯାଇଛନ୍ତି। ହିମାଚଳ ପ୍ରଦେଶର କିନ୍ନାଉରୁ ଜିଲାର ର଼୍ୟାକ୍‌ଚାମ ଗାଁରେ ଥିବା ପବ୍ଲିକ୍‌ ହେଲ୍‌ଥ୍‌ ସେଣ୍ଟର(ପିଏଚସି)ରେ ଯୋଗ ଦେଇ ଆଦିବାସୀମାନଙ୍କ ସେବାରେ ଲାଗିଛନ୍ତି। ସେଠାକାର ପରିବେଶ ସହ ନିଜକୁ ଖାପ ‌ଖୁଆଇ ଦୁର୍ଗମ ଗାଁଗୁଡ଼ିକୁ ଚାଲି ଚାଲି ଯାଇ ଲୋକମାନଙ୍କୁ ଚିକିତ୍ସା କରୁଛନ୍ତି। ଏପରିକି ଲକ୍‌ଡାଉନ ପରେ ବି ତାଙ୍କ ଘର ବେଙ୍ଗାଲୁରୁକୁ ନ ଫେରି ର଼୍ୟାକ୍‌ଚାମରେ ରହିଛନ୍ତି। ସେଠାରେ କୌଣସି ମେଡିକାଲ୍‌ ଷ୍ଟାଫ୍‌ ନ ଥିଲେ ବି ସେ ଏକାକୀ ସବୁ କାର୍ଯ୍ୟ ୫ ମାସ ତୁଲାଇଛନ୍ତି। କୋଭିଡ୍‌ ଉପରେ ଲୋକମାନଙ୍କୁ ସଚେତନ କରିବା ସହ ସେମାନଙ୍କ ପରୀକ୍ଷା ବି କରୁଛନ୍ତି। ପିଏଚ୍‌ସି ଉପରେ ର଼୍ୟାକଚାମର ୮୦୦ ବାସିନ୍ଦା ସମେତ ସାଙ୍ଗଲା ବ୍ଲକର ଗାଁଗୁଡ଼ିକ ବି ନିର୍ଭର କରନ୍ତି। ଡ. ଶିଳ୍ପା ଘରକୁ ଘର ଯାଇ ଲୋକମାନଙ୍କ ରୋଗ ଚିହ୍ନଟ କରି ସେମାନଙ୍କୁ କାର୍ଡ ଦେଉଛନ୍ତି। ଏବେ ତାଙ୍କୁ ସାଙ୍ଗଲାକୁ ବଦଳି କରାଯାଇଛି। ଶିଳ୍ପାଙ୍କ ବାପା ଛତିଗଡ଼ରେ ଚାକିରି କରିଥିତ୍ବା ସମୟରେ ସେଠାରେ ଜନ୍ମ ହୋଇ ବଢିଛନ୍ତି। ପରେ ସେ ଲୁଧିଆନା ଦୟାନନ୍ଦ ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ଶେଷ କରି ପ୍ରଥମେ ଏଲ୍‌ଏନ୍‌ଜେପି ହସ୍ପିଟାଲରେ ନିଯୁକ୍ତି ପାଇଥିଲେ।