ଏଇ ଭାରତରେ

ପ୍ଲାଷ୍ଟିକ ବର୍ଜ୍ୟର ପୁନଃ ଉପଯୋଗ କରି ପରିବେଶ ପ୍ରଦୂଷଣ ରୋକିବା ଲାଗି ବିଭିନ୍ନ ସ୍ତରରେ ପ୍ରଚେଷ୍ଟା ଜାରି ରହିଥିବାବେଳେ ଏବେ ‘ପଟହୋଲ୍‌ରାଜ’ ନାମକ ସୋସିଆଲ ଏଣ୍ଟରପ୍ରାଇଜ୍‌ ଏକ ଭିନ୍ନ ଉପାୟ ଆପଣାଇଛି। ଏହି ସଂସ୍ଥା ବେଙ୍ଗାଲୁରୁରେ ପରିବେଶ ଉପଯୋଗୀ ତଥା ସ୍ଥାୟୀ ଟେକ୍‌ନୋଲୋଜି ଦ୍ୱାରା ପ୍ଲାଷ୍ଟିକ ବର୍ଜ୍ୟକୁ ରିସାଇକ୍ଲିିଂ ପରେ ପ୍ରସ୍ତୁତ ମ୍ୟାଟେରିଆଲରେ ରାସ୍ତା ନିର୍ମାଣ ଆରମ୍ଭ କରିଛି। ଏହାର ପରିବେଶ ଉପରେ ନକାରାମତ୍କ ପ୍ରଭାବ ନାହିଁ। ‘ପଟହୋଲ୍‌ରାଜ’ ଦ୍ୱାରା ନିର୍ମିତ ଏଭଳି ଅଭିନବ ରାସ୍ତାରେ ରିସାଇକ୍ଲିିଂ ହୋଇଥିବା ୩୦୦୦ କେଜି ପ୍ଲାଷ୍ଟିକ ବ୍ୟବହାର ହୋଇଛି। ଏହା ପାରମ୍ପରିକ ରାସ୍ତା ନିର୍ମାଣଠାରୁ ୨୦ରୁ ୨୫% ଶସ୍ତା ହେଉଛି ଓ ଏଥିରେ କମ୍‌ ପାଣି ଲାଗୁଛି। ଏହାର ଓ୍ବାରେଣ୍ଟି ୫ ବର୍ଷ । ଟ୍ରାଫିକ୍‌ ଜାମ୍‌ ଦୂର କରିବା ଲାଗି ସିଟି ଟ୍ରାଫିକ୍‌ ପୋଲିସ ଅନୁରୋଧ କ୍ରମେ ‘ପଟହୋଲ୍‌ରାଜ’ କମ୍ପାନୀ ଏହି କାର୍ଯ୍ୟ ଆରମ୍ଭ କରିଥିଲା। ପ୍ରଥମେ ୩୦ ମିଟର ଲମ୍ବ ଓ ୧୫ ମିଟର ଚଉଡ଼ାର ୩୦୦ ମିମି ଲେୟାରର ରାସ୍ତା ମାତ୍ର ୪ରୁ ୫ ଦିନ ମଧ୍ୟରେ ଶେଷ କରାଯାଇଛି। ଏହା ଉପରେ ୫୦ଟନ୍‌ ଓଜନର ଭାରିଯାନ ବି ଯାଇପାରିବ। ୨୦୧୮-୧୯ରେ କମ୍ପାନୀ ଏହା ଉପରେ ପରୀକ୍ଷଣ ଆରମ୍ଭ କରି ବହୁବାର ବିଫଳ ହେବା ପରେ ଏବେ ଲକ୍ଷ୍ୟ ହାସଲ କରିଛି। ଆଗକୁ ସହରର ଗୁରୁତ୍ୱପୂର୍ଣ୍ଣ ଜଙ୍କ୍‌ଶନଗୁଡ଼ିକରେ ଏଭଳି ରାସ୍ତା ନିର୍ମାଣ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।