ଏଇ ଭାରତରେ

ଗାଡ଼ି ପଙ୍କ୍‌ଚର ମରାମତି କରୁଥିବା ମହିଳାଙ୍କୁ କେବେ ଦେଖିଛନ୍ତି କି? ଯଦି ଦେଖିନାହାନ୍ତି, ତେବେ ଜାଣନ୍ତୁ ୫୫ ବର୍ଷୀୟା ମହିଳା ମେକାନିକ୍‌ କମଳା ନେଗିଙ୍କ କାହାଣୀ। କମଳା ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ, ପାଖାପାଖି ୧୫ ବର୍ଷ ହେବ ବାଇକ୍‌, କାର, ଟ୍ରକ୍‌, ବସ୍‌ ଆଦିର ପଙ୍କ୍‌ଚର ମାରୁଛନ୍ତି। କେବଳ ଏତିକି ନୁହେଁ, ଭାରିଯାନ ମରାମତି ସହ ସର୍ଭିିସିଂ ମଧ୍ୟ କରୁଛନ୍ତି। ଉତ୍ତରାଖଣ୍ଡର ନୈନିତାଲ ଜିଲା ରାମଗଡ଼-ମୁକ୍ତେଶ୍ୱର ରୋଡ୍‌ କଡ଼ରେ ତାଙ୍କ ଦୋକାନ। ଆଖପାଖର ଲୋକେ କମଳାଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ତାଙ୍କୁ ‘ଟାୟାର ଡାକ୍ତର’ ବୋଲି ସମ୍ବୋଧନ କରୁଛନ୍ତି। ୨୦୦୪ରେ ସେ ଛୋଟ ଛୋଟ ପିଲାଙ୍କୁ ୨୦ରୁ ୨୫ ମିନିଟ୍‌ ପାଇଁ ସାଇକେଲ ଶିଖାଇ ୫ ଟଙ୍କା ନେଉଥିଲେ। ପାରିବାରିକ ଅବସ୍ଥା ଭଲ ନ ଥିବାରୁ ସେ ଏହା ଆରମ୍ଭ କରିଥିଲେ। ସେହି ସମୟରେ ସାଇକେଲ ପଙ୍କ୍‌ଚର ହେଲେ ତାହାକୁ ନିଜେ ମରାମତି କରୁଥିଲେ ସ୍ବାମୀ ହୟାତ୍‌ ସିଂ ନେଗିଙ୍କ ପଙ୍କ୍‌ଚର ଦୋକାନରେ। ଏହି ଅଭ୍ୟାସ ତାଙ୍କୁ ଜଣେ ମେକାନିକ୍‌ ଭାବେ ଗଢ଼ିତୋଳିଛି। ପରେ ୨୦୦୮ରେ ସେ ବ୍ୟବସାୟିକ ଭାବେ ଦୁଇଚକିଆ ଯାନ, କାର, ବସ୍‌, ଟ୍ରକ୍‌ ଆଦିର ପଙ୍କ୍‌ଚର ମରାମତି କାମ ଆରମ୍ଭ କରିଥିଲେ। କମଳାଙ୍କ ପୁଅ ସୀମା ସୁରକ୍ଷା ବଳରେ ଚାକିରି କରିଥିବାବେଳେ ଝିଅ ବିବାହ କରିଛନ୍ତି। ତଥାପି କମଳା ମେକାନିକ୍‌ ଭାବେ ବଞ୍ଚି ରହିବା ଲାଗି ଏହି କାର୍ଯ୍ୟ ଜାରି ରଖିଛନ୍ତି।