ଏଇ ଭାରତରେ

ବିହାରର ରାଜେଶ କୁମାର ସୁମନ ମାଗଣା କୋଚିଂ ଦେବା ସହ ଏକ ନିଆରା ପଦ୍ଧତିରେ ୯୦,୦୦୦ ଗଛ ଲଗାଇସାରିଲେଣି। ସମସ୍ତିପୁରରେ ଥିବା ରାଜେଶଙ୍କ କୋଚିଂ ସେଣ୍ଟର୍‌ର ନାମ ‘ଗ୍ରୀନ୍‌ ପାଠଶାଳା’। ସେଠାରେ ସେ ସରକାରୀ ଚାକିରି ଲାଗି କୋଚିଂ ଦେଉଛନ୍ତି। ଏହି ସେଣ୍ଟର ସେ ୨୦୦୮ରେ ଆରମ୍ଭ କରିଥିଲେ। ସେଠାରେ ପିଲାମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ୁନାହିଁ, ବରଂ ଏହା ବଦଳରେ ଜଣେ ପିଲା ୧୮ଟି ଚାରା ଦେଉଛି।
ସେଗୁଡ଼ିକୁ ରାଜେଶ ଓ ତାଙ୍କ ଛାତ୍ରମାନେ ବିଭିନ୍ନ ସ୍ଥାନରେ ଲଗାଉଛନ୍ତି। ଏବେ ସୁଦ୍ଧା ପିଲାମାନଙ୍କଠାରୁ ରାଜେଶ ୯୦,୦୦୦ ଚାରା ସଂଗ୍ରହ କରି ଲଗାଇସାରିଲେଣି। ଜଣେ ଲୋକ ତା’ ଜୀବନରେ ନେଉଥିବା ଅମ୍ଳଜାନ ୧୮ଟି ଗଛ ଛାଡୁଥିବା ଅମ୍ଳଜାନ ପରିମାଣ ସହ ସମାନ। ଏହି କାରଣରୁ ଜଣେ ପିଲାକୁ ୧୮ଟି ଗଛ ଦେବା ଲାଗି କୁହାଯାଇଛି ବୋଲି ପ୍ରକାଶ କରନ୍ତି ୩୩ ବର୍ଷୀୟ ରାଜେଶ। ସେ ପ୍ରତି ସପ୍ତାହରେ ୬ ଦିନ କ୍ଲାସ୍‌ କରୁଛନ୍ତି ଓ ରବିବାର ବୃକ୍ଷରୋପଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। କେବଳ ଏତିକି ନୁହେଁ ସେ ବିହାର, ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ବି ଗ୍ରୀନ୍‌ ଯାତ୍ରା କରି ପରିବେଶ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରୁଛନ୍ତି। ୨୦୦୮ରୁ ଏଯାବତ୍‌ ୫,୦୦୦ ଛାତ୍ରୀଛାତ୍ର ଗ୍ରୀନ୍‌ ପାଠଶାଳାରୁ କୋଚିଂ ନେଇ ସାରିଲେଣି। ସେମାନଙ୍କ ମଧ୍ୟରୁ ଅନେକ ସରକାରୀ ଚାକିରି ବି କରିଛନ୍ତି।