ଏଇ ଭାରତରେ

ଅନେକ ସମୟରେ ଜିଲାପାଳମାନଙ୍କର କିଛି ନିଆରା କାର୍ଯ୍ୟ ସାମ୍ନାକୁ ଆସିଥାଏ, ଯାହା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଛତରପୁରର ଜିଲାପାଳ ସନ୍ଦୀପ ଜି ଆର୍‌ଙ୍କ କ୍ଷେତ୍ରରେ। ସେ ବିଭିନ୍ନ ସ୍ଥାନକୁ ଗାଡ଼ି ବଦଳରେ ସାଇକେଲରେ ଯାଉଛନ୍ତି। ବାହାରର ବାସ୍ତବତା ଜାଣିବା ଓ ତୃଣମୂଳସ୍ତରରେ ଲୋକମାନଙ୍କ ଅଭିଯୋଗ ଶୁଣିବା ଲାଗି ସେ ସାଇକେଲରେ ଯାଇ ତାହାକୁ ସମାଧାନ କରୁଛନ୍ତି। ଏହା ପୂର୍ବରୁ ସେ ଜବଲପୁରର ମ୍ୟୁନିସିପାଲ କର୍ପୋରେଶନର କମିଶନର ରହିଥିଲେ। ସରକାରଙ୍କ ଯୋଜନା ବାଦ୍‌ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବାକୁ ଯାଇ ସେ ଫଳ ବଗିଚା ଆରମ୍ଭ କରି ଏଥିରୁ ଉପତ୍ାଦିତ ଫଳକୁ ସେ ଅସହାୟଙ୍କୁ ବାଣ୍ଟୁଛନ୍ତି। ଜିଲାପାଳ ଗତ ବର୍ଷ ଅକ୍ଟୋବର ସୁଦ୍ଧା ଜବଲପୁରରେ ୩୦ ହଜାର ଫଳଗଛ ଲଗାଇ ସାରିଥିଲେ। ଏହି ବଗିଚାରୁ ଏବେ କଦଳୀ, ଲେମ୍ବୁ, ଆମ୍ବ, ସପୁରି ଆଦି ଫଳ ଉପତ୍ାଦନ ହେଉଛି। ଏହା ଉପତ୍ାଦନଠାରୁ ଆରମ୍ଭ କରି ବଣ୍ଟନ ବ୍ୟବସ୍ଥାଯାଏ ସବୁ କିଛି ପରିବେଶ ଉପଯୋଗୀ ତଥା ସହନୀୟ ଉପାୟରେ କରାଯାଉଛି। ତେବେ ଛତରପୁର ଜିଲାପାଳ ଭାବେ ନିଯୁକ୍ତ ହେବାର ଇତିମଧ୍ୟରେ ୭ ମାସ ବିତିଗଲାଣି। ସେ ମଧ୍ୟ ଛତରପୁରରେ ୧୧ ଏକରରେ ୪୦ ହଜାର ଗଛ ଲଗାଇବା କାର୍ଯ୍ୟ ଜାରି ରଖିଛନ୍ତି। ଅଫିସ ଭିତରେ ଗୋଟିଏ ଓ ବାହାରେ ଆଉ ଗୋଟିଏ ବିଶ୍ୱ ରହିଛି ଏବଂ ଦୁଇଟିକୁ ସମାନ ଭାବରେ ଦେଖୁଛନ୍ତି ବୋଲି କୁହନ୍ତି ଜିଲାପାଳ ସନ୍ଦୀପ ଜିଆର୍‌।