ଏଇ ଭାରତରେ

କେରଳର କନ୍ନୁର ଜିଲାର ପିନାରାଇ ପଞ୍ଚାୟତରେ ଅବିବାହିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଏହି ସମସ୍ୟା ଦୂର କରିବା ପାଇଁ ପଞ୍ଚାୟତ ପକ୍ଷରୁ ବିବାହ ଲାଗି ଏକ ୱେବ୍‌ସାଇଟ ଆରମ୍ଭ କରାଯାଇଛି। ଜିଲା ଯୋଜନା କମିଟି ପିନାରାଇ ପଞ୍ଚାୟତର ଏହି ‘ସାୟୋଯ୍ୟମ୍‌’ ଯୋଜନାକୁ ଅନୁମୋଦନ କରିଛି। ଏହା ଅନ୍ତର୍ଗତ ୩୫ ବର୍ଷରୁ ଅଧିକ ଯେକୌଣସି ବ୍ୟକ୍ତି ପଞ୍ଚାୟତର ବିବାହ ସମ୍ବନ୍ଧୀୟ ୱେବ୍‌ସାଇଟରେ ପଞ୍ଜୀକୃତ ହୋଇ ଉପଯୁକ୍ତ ଜୀବନସାଥୀ ପାଇପାରିବେ। ପିନାରାଇ ପଞ୍ଚାୟତ ମୁଖ୍ୟ କେ.କେ. ରାଜୀବନ କହିଛନ୍ତି ଯେ ପଞ୍ଚାୟତ ଏକ ସର୍ଭେ କରିଛି, ଯେଉଁଥିରେ ୩୫ ବର୍ଷରୁ ଅଧିକ ବୟସର ଲୋକ ବିଭିନ୍ନ କାରଣରୁ ଅବିବାହିତ ରହିଛନ୍ତି। ଅଧିକାଂଶ କ୍ଷେତ୍ରରେ କେତେକ ଲୋକଙ୍କର ନିଜ ବିବାହ ପାଇଁ ପଦକ୍ଷେପ ନେବାକୁ ଘରେ କେହି ବରିଷ୍ଠ ବ୍ୟକ୍ତି ନ ଥିବାରୁ ଏହି ସେବା ଆରମ୍ଭ କରାଯାଇଥିବା କହନ୍ତି ରାଜୀବନ। ଏଭଳି ସେବା ପ୍ରଦାନ କରୁଥିବା ପ୍ରକଳ୍ପ କେରଳରେ ପ୍ରଥମ। ପିନାରାଇ ପଞ୍ଚାୟତ ୱେବ୍‌ସାଇଟରେ ଜାତି ଏବଂ ଧର୍ମଭିତ୍ତିକ ବର୍ଗ ରହିବ ନାହିଁ। କିନ୍ତୁ ଯେଉଁମାନେ ଜାତି ଏବଂ ଧର୍ମକୁ ସେମାନଙ୍କ ସବିଶେଷ ତଥ୍ୟରେ ଅନ୍ତର୍ଭୁକ୍ତ କରିବାକୁ ଚାହାନ୍ତି, ସେମାନେ ଏହା କରିପାରିବେ। ଲୋକଙ୍କ ପାଖରେ ଆର୍ଥିକ ସମସ୍ୟା ଥିଲେ ପଞ୍ଚାୟତ ପକ୍ଷରୁ ସେମାନଙ୍କୁ ସାହାଯ୍ୟ କରାଯିବାର ପ୍ରବଧାନ ଏଥିରେ ରଖାଯାଇଛି।