ଏଇ ଭାରତରେ

ୟୁପିଏସ୍‌ସି ପରୀକ୍ଷାରେ ସଫଳତା ପାଇବା ଯେତିକି କଷ୍ଟ ନିଯୁକ୍ତି ପରେ ତାହା ଆହୁରି ଚ୍ୟାଲେଞ୍ଜିଂ ବୋଲି କୁହାଯାଏ। ହେଲେ ଚ୍ୟାଲେଞ୍ଜିଂ ଜବ୍‌ ଭିତରୁ ସମୟ ବାହାର କରି ସୁବିଧା ସୁଯୋଗରୁ ବଞ୍ଚତ୍ତ ଛାତ୍ରୀମାନଙ୍କୁ ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବା ଲାଗି ଅନଲାଇନରେ ଶିକ୍ଷା ଦେଉଛନ୍ତି ଆଇପିଏସ୍‌ ସୁରଜ ସିଂ ପରିହାର। ୨୦୧୪ ୟୁପିଏସସି ପରୀକ୍ଷାରେ ୩୩୪ ର଼୍ୟାଙ୍କ ପାଇବା ପରେ ଛତିଶଗଡ ଗୌରାଲା- ପେଣ୍ଡ୍ରା ମରଓ୍ବାହି ଜିଲାର ଏସପି ଭାବେ ଦାୟିତ୍ୱ ତୁଲାଉଛନ୍ତି। ସପ୍ତାହ ସାରା କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ ବି ସପ୍ତାହାନ୍ତରେ ସେ ଓ୍ବେବିନାର ଚଳାଉଛନ୍ତି। ଇନଷ୍ଟାଗ୍ରାମ, ଫେସବୁକ, ଟୁଇଟର ଏହି ତିନୋଟି ଅନଲାଇନ ସେସନରେ ଯଥାକ୍ରମେ ୨୫୦୦, ୩୦୦୦ ଓ ୧୩୦୦୦ ୟୁପିଏସସି ଆଶାୟୀମାନେ ଯୋଡି ହୋଇଛନ୍ତି ଓ ଏମାନଙ୍କ ସହ ସୁରଜ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଛନ୍ତି। ସବୁ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ସେ ପ୍ରତିଦିନ ନିଜ ଦାୟିତ୍ୱ ଭିତରେ ସମୟ ବାହାର କରି ପ୍ରସ୍ତୁତ ହୋଇଥାନ୍ତି।
ସୁରଜ ଅନ୍ୟ ୟୁପିଏସ୍‌ସି ଟପ୍ପରମାନଙ୍କୁ ଏହି ଅନଲାଇନ କ୍ଲାସରେ ସହଯୋଗ କରିବା ପାଇଁ ଅନୁରୋଧ କରନ୍ତି। ବହୁ ସମୟରେ ଏକାଧିକ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର ତାଙ୍କ ସହ ସାମିଲ ହୋଇ ଛାତ୍ରମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି। ସମୟେ ସମୟେ ବ୍ୟସ୍ତବହୁଳ ଦାୟିତ୍ୱ ଯୋଗୁ ସେମାନେ ଯୋଗ ନ ଦେଲେ ସୁରଜ ସବୁ ପ୍ରଶ୍ନର ଉତ୍ତର ଦିଅନ୍ତି ଓ ଏଥିଲାଗି ସପ୍ତାହାନ୍ତର ପୂରା ସମୟ କଟାଇ ଦିଅନ୍ତି। ବିଭିନ୍ନ ସମସ୍ୟା ଯୋଗୁ ୟୁପିଏସସି ପରୀକ୍ଷାରୁ ବଞ୍ଚତ୍ତ ହେଉଥିବା ଆଶାୟୀମାନଙ୍କ ମନୋବଳ ବଢାଇବା ପାଇଁ ସୁରଜଙ୍କ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ।