ଏଇ ଭାରତରେ

ପ୍ଲାଷ୍ଟିକ୍‌ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ଏବେ ଚିନ୍ତାର କାରଣ ହୋଇଥିବାବେଳେ ଏହାର ସମାଧାନ ପାଇଁ ପୁଣେର ଅମିତା ଦେଶପାଣ୍ଡେଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ଅମିତା ଜଣେ ସଫ୍ଟଓ୍ବେର ଇଞ୍ଜିନିୟର। ହେଲେ ସେ ଚାକିରି ପ୍ରତି ଆସକ୍ତ ନ ହୋଇ ପରିବେଶ ସହନୀୟ ଷ୍ଟାର୍ଟଅପ୍‌ ‘ରି ଚରଖା’ ଗଠନ କରି ପ୍ଲାଷ୍ଟିକ ବର୍ଜ୍ୟକୁ ଅପ୍‌ସାଇକିଲିଂ କରୁଛନ୍ତି। ସେଥିରୁ ଆକର୍ଷଣୀୟ ବ୍ୟାଗ, ଘରସଜା ଜିନିଷ ସହ ଅନ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ପ୍ଲାଷ୍ଟିକ ପ୍ୟାକେଟକୁ ଚରଖାରେ ସରୁ ସୂତା ଆକାର କରି ତାହାକୁ ତନ୍ତରେ ପ୍ଲାଷ୍ଟିକ୍‌ କପଡ଼ାର ରୂୂପ ଦେବା ପରେ ସେଥିରୁ ବିଭିନ୍ନ ଜିନିଷ ତିଆରି ହେଉଛି। ସେହି ଜିନିଷଗୁଡ଼ିକ ଉପରେ ଅମିତା ବିଭିନ୍ନ କଳାକୃତିର ଛାପ ରଖୁଛନ୍ତି ଓ ଏହି କାର୍ଯ୍ୟରେ କାରିଗରମାନଙ୍କୁ ନିଯୁକ୍ତ କରିଛନ୍ତି। ଅମିତା ଏବେସୁଦ୍ଧା ୭ ଲକ୍ଷ ପ୍ଲାଷ୍ଟିକ୍‌ ପ୍ୟାକେଟ ଅପ୍‌ସାଇକିଲିଂ କରିବା ସହ ସେଥିରୁ ପ୍ରସ୍ତୁତ ସାମଗ୍ରୀଗୁଡ଼ିକରୁ ୭୦ ଲକ୍ଷ ଟଙ୍କା ରୋଜଗାର କରି ସାରିଲେଣି। ସେ ସ୍ଥାନୀୟ ଅଞ୍ଚଳର ବର୍ଜ୍ୟ ଗୋଟାଳି ଓ ଦାଦ୍ରାନଗର ହାବେଳିର ଆଦିବାସୀମାନଙ୍କୁ ବର୍ଜ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରିଛନ୍ତି। ଏମାନଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି ମହିଳା। ଏହା ବ୍ୟତୀତ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିଙ୍କଠାରୁ ମଧ୍ୟ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରାଯାଉଛି।