ଏଇ ଭାରତରେ

ବିହାର ପୋଲିସର ମହିଳା କନ୍‌ଷ୍ଟେବଳ ବବ୍‌ଲି କୁମାରୀଙ୍କ କାହାଣୀ ପ୍ରତ୍ୟେକଙ୍କ ପାଇଁ ଏକ ପ୍ରେରଣା। ଦୁଇ ଶିଶୁକନ୍ୟାଙ୍କ ଦାୟିତ୍ୱ ତୁଲାଇ ସେ ବିହାର ଜନସେବା ଆୟୋଗର ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡିଏସ୍‌ପି ହୋଇପାରିଛନ୍ତି। ବିହାର ଗୟା ଜିଲାର ବବ୍‌ଲି ଏହି ସ୍ତରରେ ପହଞ୍ଚିବା ପାଇଁ ଦୀର୍ଘ ସମୟ ଧରି ସଂଘର୍ଷ କରିଥିଲେ। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିଲା। ପିତାଙ୍କ ପାଞ୍ଚ ପିଲାଙ୍କ ମଧ୍ୟରୁ ସେ ବଡ଼ ହୋଇଥିବାରୁ ଘରର ଆବଶ୍ୟକତା ପୂରଣ ପାଇଁ ତାଙ୍କୁ ଶୀଘ୍ର ଚାକିରି ଦରକାର ଥିଲା । ଉଚ୍ଚ ସ୍ବପ୍ନ ଦେଖିବା ସତ୍ତ୍ୱେ ୨୦୧୫ରେ ସେ ବିହାର ପୋଲିସର ଜଣେ କନଷ୍ଟେବଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ବବ୍‌ଲି କୁମାରୀ ବିବାହ କରିଥିଲେ। କନ୍‌ଷ୍ଟେବଳ ଓ ଘରର ଦାୟିତ୍ୱକୁ ବହନ କରି ସେ ବିହାର ଜନସେବା ଆୟୋଗର ସିଭିଲ ସର୍ଭିସ ପରୀକ୍ଷା ପାଇଁ ନିଜର ପ୍ରସ୍ତୁତି ଜାରି ରଖିଥିଲେ ଏବଂ ତୃତୀୟ ପ୍ରୟାସରେ ସଫଳ ହୋଇଥିଲେ। ଏହି ଅବସ୍ଥାରେ ପହଞ୍ଚିବା ପାଇଁ ପରିବାର ଏବଂ ସ୍ବାମୀଙ୍କଠାରୁ ବହୁ ସମର୍ଥନ ପାଇଥିଲେ। ବିପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବେଗୁସରାଇ ଏସ୍‌ପି ଯୋଗେନ୍ଦ୍ର କୁମାର କାର୍ଯ୍ୟାଳୟକୁ ଡାକି ବବ୍‌ଲିଙ୍କୁ ସମ୍ମାନିତ କରିଛନ୍ତି।