ଏଇ ଭାରତରେ

ଭୋକିଲାଙ୍କ ଜୀବନ ବ୍ୟଥିତ କରିଛି ବିହାରର ରବିଶଙ୍କର ଉପାଧ୍ୟାୟଙ୍କୁ, ଯେଉଁଥିତ୍ପାଇଁ ସେ ସେମାନଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ଛପରାରେ ସେ ରୋଟି ବ୍ୟାଙ୍କ ଜରିଆରେ ଏହି କାର୍ଯ୍ୟ କରୁଛନ୍ତି। ରବିଶଙ୍କର ପେସାରେ ଜଣେ ଶିକ୍ଷକ। ୨୦୧୮ ଅକ୍ଟୋବର ଦଶହରାରେ ସେ ଏହି ରୋଟି ବ୍ୟାଙ୍କ ଖୋଲିଥିଲେ। ଅଲ୍‌ ଇଣ୍ଡିଆ ରୋଟି ବ୍ୟାଙ୍କ ଟ୍ରଷ୍ଟର ସଂସ୍ଥାପକ କିଶୋରକାନ୍ତ ତିଓ୍ବାରୀ ଏବଂ ତାଙ୍କ ସହଯୋଗୀ ରୋଶନ ପଟେଲଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଏଭଳି କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି କହନ୍ତି ରବିଶଙ୍କର। ୪ ଜଣ ସାଙ୍ଗଙ୍କୁ ନେଇ ସେ ପ୍ରଥମ ଟିମ୍‌ ଗଠନ କରିଥିଲେ। ପ୍ରଥମ ଦିନ ରବିଶଙ୍କର ଓ ତାଙ୍କ ସାଥୀମାନେ ୭ ପ୍ୟାକେଟ୍‌ ଖାଦ୍ୟ ଭୋକିଲାଙ୍କୁ ଦେଇଥିଲେ। ଏବେ ତାଙ୍କ ଟିମ୍‌ରେ ୨୦ ଜଣ ସାମିଲ ହୋଇଛନ୍ତି ଓ ସେମାନେ ଦିନକୁ ୨୦୦ ପ୍ୟାକେଟ୍‌ ଖାଦ୍ୟ ଦେଉଛନ୍ତି। ସକାଳ ୯ଟା ସୁଦ୍ଧା ଖାଦ୍ୟ ପ୍ରସ୍ତୁତ କରି ତାଙ୍କ ଟିମ୍‌ ସହରକୁ ବାହାରି ଯାଉଛନ୍ତି । ଏବେ ରୋଟି ବ୍ୟାଙ୍କରେ ସ୍ଥାନୀୟ ଲୋକମାନ ଯୋଡ଼ି ହୋଇ ଜନ୍ମଦିନ, ବିବାହ, ପୂଜାପାଠ ଆଦି ଉତ୍ସବରେ ଗରିବଙ୍କୁ ଭୋଜନ ଦେବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି। ରୋଟି ବ୍ୟାଙ୍କର ‘ଅନ୍ନପୂର୍ଣ୍ଣା ସାମୁଦାୟିକ ରୋଷେଇ’ ନାମକ ରୋଷେଇ ଘର ରହିଛି। ରୋଷେଇ କରିବା ପାଇଁ ଦୁଇଜଣଙ୍କୁ ବି ନିଯୁକ୍ତ କରାଯାଇଛି। ରୋଟି ବ୍ୟାଙ୍କ ଆରମ୍ଭ ହେବା ପରଠାରୁ ଏଯାବତ୍‌ ୨ ଲକ୍ଷ ଲୋକଙ୍କ ପାଖରେ ଖାଦ୍ୟ ପ୍ୟାକେଟ୍‌ ପହଞ୍ଚା ଯାଇସାରିଲାଣି।