ଏଇ ଭାରତରେ

ବିନା ଚାରାରେ ଅଭିନବ ପଦ୍ଧତିରେ ଜଙ୍ଗଲ ସୃଷ୍ଟି କରୁଛନ୍ତି ମହାରାଷ୍ଟ୍ର ଲାଟୁରର ଅଦିତି ପାଟିଲ। ଉଡ୍‌ଗିରରେ ରୁହନ୍ତି ୩୦ ବର୍ଷୀୟ ଅଦିତି। ସେ ୨୦୧୮ରେ ସିଡ୍‌ବଲ ଅଭିଯାନ ଆରମ୍ଭ କରିଥିଲେ। ତାଙ୍କ ସଂସ୍ଥା କାରଓ୍ବାଁ ମାଧ୍ୟମରେ ୪ ବର୍ଷରେ ବିଭିନ୍ନ ସ୍ଥାନରେ ଜଙ୍ଗଲ ସୃଷ୍ଟି କରୁଛନ୍ତି। ସେ ସୃଷ୍ଟି କରିଥିବା ଦୁଇଟି ଛୋଟ ଜଙ୍ଗଲରେ ୧୨୦୦ରୁ ଅଧିକ ଗଛ ରହିଛି। ଅଦିତି ଲାଟୁର ଜିଲାର ୧୫୦ରୁ ଊର୍ଦ୍ଧ୍ୱ ସ୍କୁଲରେ ୧୫,୦୦୦ରୁ ଅଧିକ ପିଲାଙ୍କୁ ସିଡ୍‌ବଲ ଅଭିଯାନରେ ଯୋଡ଼ିବାରେ ସକ୍ଷମ ହୋଇଛନ୍ତି। ସିଡ୍‌ବଲ ଜାପାନୀ ବୈଜ୍ଞାନିକ ମାସାନୋବୁ ଫୁକୁଓକାଙ୍କ ଟେକ୍‌ନିକ। ଏହି ପଦ୍ଧତିରେ ପରିବା ଓ ଫଳ ମଞ୍ଜିକୁ ଏକାଠି କରି ମାଟିର ବଲ ତିଆରି କରାଯାଏ। ସେଥିରେ ମଞ୍ଜି ସୁରକ୍ଷିତ ରହିଥାଏ। ଉକ୍ତ ବଲ୍‌କୁ ଜଙ୍ଗଲ କରିବାକୁ ଥିବା ନିର୍ଦ୍ଧାରିତ ଅଞ୍ଚଳରେ ଫିଙ୍ଗି ଦିଆଯାଏ। ବର୍ଷା ହେଲା ପରେ ତାହା ଖୋଲିଯାଏ ଓ ଗଛ ବଢ଼ିବାରେ ଲାଗେ। ପ୍ରତିଟି ସିଡ୍‌ବଲ ପାଇଁ ୧୦ ଟଙ୍କା ଖର୍ଚ୍ଚ ହେଉଛି। ଏବେ ସୁଦ୍ଧା ଅଦିତି ଓ ତାଙ୍କ ସାଥୀମାନେ ୬୦ ହଜାରରୁ ଊର୍ଦ୍ଧ୍ୱ ସିଡ୍‌ବଲ ତିଆରି କରିସାରିଛନ୍ତି। ସେ ଅନ୍‌ଲାଇନରେ ମଧ୍ୟ ସିଡ୍‌ବଲ ତିଆରି କରିବାର କୌଶଳ ସମ୍ପର୍କରେ ଶିକ୍ଷା ଦେଉଛନ୍ତି। ଏହା ବ୍ୟତୀତ ସିଡ୍‌ବଲ ମାଧ୍ୟମରେ ଜଙ୍ଗଲ ସୃଷ୍ଟି କରିବା ଲାଗି ସେ ଓ ତାଙ୍କ ସାଥୀମାନେ ୭୨୫ କି.ମି. ସାଇକେଲ ଯାତ୍ରା ମଧ୍ୟ କରିଛନ୍ତି।