ଏଇ ଭାରତରେ

ଜଳ ସଂରକ୍ଷଣ ଓ ଜଳାଶୟର ସୁରକ୍ଷା ଦିଗରେ ଦୁଇ ଦଶନ୍ଧି ହେଲା ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଛନ୍ତି କର୍ନାଟକର ଆଶା ଏସ୍‌.। ଏହି କାର୍ଯ୍ୟ ସେ ‘ଅହୋରଣ’ ଏନ୍‌ଜିଓ ମାଧ୍ୟମରେ କରୁଛନ୍ତି। ଫଳରେ ତାଙ୍କ ଗାଁର ବହୁ ପରିବାର ଜଳ ସଂରକ୍ଷଣ କରି ଚାଷ କରିବାକୁ ସକ୍ଷମ ହୋଇଛନ୍ତି। ଏଯାବତ୍‌ ସେ ଜଳ ସଂରକ୍ଷଣ ମାଧ୍ୟମରେ କୋଲାର ଜିଲାର ୧,୩୫୦ ପରିବାରକୁ ଚାଷରେ ସଶକ୍ତ କରିଛନ୍ତି । ଦୁଇଟି ହ୍ରଦର ପୁନରୁଦ୍ଧାର କରିଛନ୍ତି। ତାଙ୍କ ନିଜ ଗାଁ ମହିଳାମାନଙ୍କୁ ଏକାଠି କରି ସେ ଏହି ସଫଳତା ହାସଲ କରିଛନ୍ତି। ଏହା ବ୍ୟତୀତ ୩ଟି ସରକାରୀ ସ୍କୁଲକୁ ବର୍ଷାଜଳ ଅମଳ କରିବାରେ ସକ୍ଷମ କରାଇପାରିଛନ୍ତି। କେବଳ ଏତିକି ନୁହେଁ, ଆଶା ଓ ତାଙ୍କ ସାଥୀମାନେ ୧୭,୦୦୦ରୁ ଅଧିକ ଚାରା ରୋପଣ କରିଛନ୍ତି। ଆଶାଙ୍କ ଏଭଳି କାର୍ଯ୍ୟ ଯୋଗୁ ତାଙ୍କ ଗାଁ ଓ ଏହାର ଆଖପାଖ ଅଞ୍ଚଳରେ ଭୂତଳ ଜଳସ୍ତର ବୃଦ୍ଧି ପାଇଛି। ଧୀରେ ଧୀରେ ସେ ଏହି ଅଭିଯାନକୁ ବ୍ୟପକ କରି କୋଲାର ଜିଲାର ମରୁଡ଼ି ସ୍ଥିତିରେ ସୁଧାର ଆଣିବା ଲାଗି ଲକ୍ଷ୍ୟ ରଖିଛନ୍ତି ଓ ଜଳସଂରକ୍ଷଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବାରେ ଲାଗିଛନ୍ତି।