ଏଇ ଭାରତରେ

କଦଳୀ ଉତ୍ପାଦନ ପରେ ଏହାର ଗଣ୍ଡିକୁ ଫିଙ୍ଗି ଦିଆଯାଉଥିବା ବେଳେ ଉତ୍ତର ପ୍ରଦେଶ ଲଖିମପୁର ଖେରିର ପୁନମ୍‌ ସେଥିରୁ ଫାଇବର ପ୍ରସ୍ତୁତ କରୁଛନ୍ତି। ସମୌସା ଗାଁର ପୁନମ୍‌ ଦେବୀ ସରସ୍ବତୀ ସ୍ବୟଂସହାୟକ ଗୋଷ୍ଠୀ ଗଠନ କରି ୨୭ ଜଣ ମହିଳାଙ୍କୁ ଏହି କାର୍ଯ୍ୟରେ ସାମିଲ କରିଛନ୍ତି। ପୁନମ୍‌ ସେହି ଗୋଷ୍ଠୀର ଅଧ୍ୟକ୍ଷା ରହିଛନ୍ତି। ଏବେ ସେହି ମହିଳାମାନେ ଦିନକୁ ୫୦୦ ଟଙ୍କା ରୋଜଗାର କରୁଛନ୍ତି। ସମୌସା ଗାଁର ଆଖପାଖରେ ପ୍ରାୟ ୧୦୦୦ ଏକର ଜମିରେ କଦଳୀ ଚାଷ ହେଉଛି। ଏଥିରୁ ବାହାରୁଥିବା କଦଳୀ ଗଣ୍ଡିକୁ ଏମାନେ ସଂଗ୍ରହ କରି ମେଶିନ ମାଧ୍ୟମରେ ଫାଇବର ପ୍ରସ୍ତୁତ କରି କେଜି ପ୍ରତି ୨୦୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଫାଇବର ଉତ୍ପାଦନ କାର୍ଯ୍ୟରେ ପ୍ରାୟତଃ କଦଳୀ ଚାଷୀ ପରିବାରର ମହିଳାମାନେ ରହିଥିବାରୁ ସେମାନଙ୍କ ଆୟରେ କଦଳୀ ଚାଷ ପରେ କ୍ଷେତ୍ର ସଫା କରିବା ପାଇଁ ଏବଂ ଆବଶ୍ୟକ ଅନ୍ୟାନ୍ୟ ଖର୍ଚ୍ଚ ହୋଇପାରୁଛି। ଫଳରେ ଖେରି ଅଞ୍ଚଳରେ କଦଳୀ ଚାଷ ବଢ଼ିବା ସଙ୍ଗେ ସଙ୍ଗେ ପୁନମ୍‌ଙ୍କ ନେତୃତ୍ୱରେ ଫାଇବର ପ୍ରସ୍ତୁତି କାର୍ଯ୍ୟ ଅନ୍ୟ ଗାଁକୁ ସମ୍ପ୍ରସାରିତ ହୋଇପାରିଛି। ଏହି ଫାଇବରରୁ ପାପୋଛ, ବ୍ୟାଗ୍‌ ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରାଯାଉଛି, ଯାହା ବିଘଟନଯୋଗ୍ୟ ଓ ପରିବେଶ ସହନୀୟ। ପ୍ରତିଦିନ ମହିଳାମାନେ ୩୫ରୁ ୪୦ କେଜି ଫାଇବର ତିଆରି କରୁଛନ୍ତି।