ଏଇ ଭାରତରେ

ବହୁ ସମୟରେ ଗୋଟିଏ ଘଟଣା ଜଣଙ୍କ ଆଖି ଖୋଲିଦିଏ; ଯାହା ଘଟିଛି ଶ୍ରୀରାମ ଭି. ଆୟାରଙ୍କ ଜୀବନରେ। ଚେନ୍ନାଇରେ ଜନ୍ମିତ ଆୟାର ଉଚ୍ଚଶିକ୍ଷା ଲାଭ ପରେ କର୍ପୋରେଟ କମ୍ପାନୀରେ ଉଚ୍ଚ ଦରମାରେ ଚାକିରି କରିଥିଲେ। ଗୁଜରାଟ ଦଙ୍ଗା ପରେ ଦିନେ ରାସ୍ତାକଡ଼ରେ ଧୂପକାଠି ବିକ୍ରି କରୁଥିବା ପିଲାଟିକୁ ଦେଖି ତାଙ୍କ ଜୀବନର ଗତି ବଦଳିଯାଇଥିଲା। ପରେ ୨୦୦୩ରେ ‘ନାଳନ୍ଦା ଓ୍ବେ’ ସଂସ୍ଥା ଗଠନକରି ରାସ୍ତାରେ ଜିନିଷ ବିକ୍ରି କରୁଥିବା ଏଭଳି ପିଲାଙ୍କ ସହ ଶିଶୁ ଶ୍ରମିକ, ହିଂସା ଓ ବିପର୍ଯ୍ୟୟ ପ୍ରପୀଡ଼ିତ, ଏଚ୍‌ଆଇଭି ସଂକ୍ରମିତ ପିଲାମାନଙ୍କୁ ଶିକ୍ଷା ଦେବାରେ ଲାଗିଛନ୍ତି। ତାଙ୍କ ସଂସ୍ଥା ମୁଖ୍ୟତଃ ତାମିଲନାଡୁ, ଦିଲ୍ଲୀ, ବିହାର ଏବଂ ଜମ୍ମୁ-କଶ୍ମୀରରେ ଏଭଳି ପିଲାମାନଙ୍କୁ ଶିକ୍ଷା ଦେଉଛି।
ଆୟାର ଏବେ ସୁଦ୍ଧା ଲକ୍ଷାଧିକ ପିଲାଙ୍କୁ ଶିକ୍ଷା ଦେଇସାରିଛନ୍ତି। ଆର୍ଟ ମାଧ୍ୟମରେ ମଜାଳିଆ ଢଙ୍ଗରେ ଦିଆଯାଉଥିବା ଶିକ୍ଷା ପିଲାମାନଙ୍କ ପାଇଁ ଗ୍ରହଣୀୟ ହୋଇପାରିଛି। ଏଠାରେ ପଢ଼ୁଥିବା ପିଲାମାନେ ମଧ୍ୟ ନାଚ, ଗୀତ ଡ୍ରାମା, ଫଟୋଗ୍ରାଫି ଶିକ୍ଷା କରିପାରୁଛନ୍ତି।